(ରିିପୋର୍ଟସ ଟୁଡ଼େ/ଶୁଭସ୍ମିତା ଦାଶ): ଆଧୁନିକ ଯୁଗରେ ମଧ୍ୟ ଜ୍ୟୋତିଷ ଶାସ୍ତ୍ର ତାର ସ୍ଥ୍ାନ ବଜାୟ ରଖିଛି । ବିବାହ କଥା ପଡିଲେ ଜାତକ ଖୋଜାପଡ଼େ । ଜୋତିଷ ଶାସ୍ତ୍ର ଅନୁସାରେ ବିବାହ ପାଇଁ ଜାତକ ମେଳନ ଆବଶ୍ୟକ । ଜନ୍ମ କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ ବିବାହ ସମୟରେ ବାଧା ଉପୁଜି ଥାଏ ବୋଲି ବିଶ୍ୱାସ ରହିଛି। ଏହାର ନିରାକରଣ ଉପାୟ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। କୌଣସି ଯୁବକଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ ତାଙ୍କର ବିବାହ ମାଙ୍ଗଳିକ ଦୋଷ ଥିବା କନ୍ୟା ସହ ସଂପନ୍ନ କରିବା ବିଧେୟ। ଅନ୍ୟପକ୍ଷରେ କୌଣସି ଜାତକ କିମ୍ବା ଜାତିକାଙ୍କ କୁଣ୍ଡଳୀରେ ମଙ୍ଗଳ ଦ୍ୱାଦଶ ଘରେ, ଲଗ୍ନ ଦ୍ୱିତୀୟ, ଚତୁର୍ଥ, ସପ୍ତମ ଅଥବା ଅଷ୍ଟମ ଭାବରେ ଥିଲେ ଏହି କୁଣ୍ଡଳୀରେ ମଙ୍ଗଳ ଦୋଷ ଅଛି ବୋଲି କୁହାଯାଇଥାଏ। କିଛି ଜ୍ୟୋତିର୍ବିଦ୍ ଲଗ୍ନ କୁଣ୍ଡଳୀରେ ଏହା ଦେଖିଥାନ୍ତି ତ କିଛି ଜ୍ୟୋତିର୍ବିଦ୍ ଚନ୍ଦ୍ର କୁଣ୍ଡଳୀ ଆଧାରରେ ଏହା ସୂଚିତ କରିଥାନ୍ତି। ତେବେ ମାଙ୍ଗଳିକ ଦୋଷ ନିର୍ଦ୍ଧାରଣ କରିବା ପାଇଁ ଶୁକ୍ର କୁଣ୍ଡଳୀ ଜରୁରୀ । ଶୁକ୍ର ଗ୍ରହ ବିବାହ ସହ ସମ୍ବନ୍ଧିତ । ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୁଣ୍ଡଳୀରେ ମଙ୍ଗଳ ସହ ରାହୁ, କେତୁ ଓ ଶନିଙ୍କ ଦୃଷ୍ଟି ରହିଥିଲେ ଏବଂ ଜାତକ କିମ୍ବା ଜାତିକାଙ୍କ ବୟସ ୨୮ ବର୍ଷରୁ ଅଧିକ ଥିଲେ ମଙ୍ଗଳ ଦୋଷ ଦୂର ହୋଇଯାଇଥାଏ । ଏହାର ନିରାକରଣ ଲାଗି ଜ୍ୟୋତିଷଶାସ୍ତ୍ରରେ ବିଭିନ୍ନ ଉପାୟ ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରାଯାଇଛି। ମଙ୍ଗଳ ଦୋଷ ଥିଲେ ପ୍ରବାଳ ରତ୍ନ ଧାରଣ କରିବାକୁ ପରାମର୍ଶ ଦେଇଥାନ୍ତି ଜ୍ୟୋତିର୍ବିଦ୍। ପ୍ରତିଦିନ ମଙ୍ଗଳ ମହାଗ୍ରହଙ୍କ ଗାୟତ୍ରୀ ମନ୍ତ୍ର କିମ୍ବା ବୀଜ ମନ୍ତ୍ର ଜପିବା ଦ୍ୱାରା ମଧ୍ୟ ଏଥିରୁ ମୁକ୍ତି ମିଳେ ବୋଲି ରହିଛି ବିଶ୍ୱାସ।