ସାଲେପୁର(ତାରାକାନ୍ତ ନାୟକ): କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ମୋଦିପଡ଼ା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପଣସ କଟାକୁ ନେଇ ହୋଇଛି ୭୦ବର୍ଷ ବୃଦ୍ଧଙ୍କ ହତ୍ୟା। ପୂର୍ବରୁ ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଲାଗି ରହିଥିଲା ବିବାଦ। ତେବେ ଗତ କାଲି କରିମ୍ ବକ୍ସଙ୍କ ବାଡ଼ିରୁ ତାଙ୍କ ପଡିଶା ସଫେଉଲ୍ ରେହମାନ ପଣସ ଚୋରି କରିଥିବା ସେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ପଚାରିବାରୁ ହଠାତ୍ ରାଗିଯାଇ କରିମ୍ ବକ୍ସଙ୍କୁ ଆକ୍ରମଣ କରିଥିଲେ ସଫେଉଲ। ସୂଚନା ପାଇ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି କରିମ୍ ବକ୍ସଙ୍କୁ ଗୁରୁତର ଆହତ ଅବସ୍ଥାରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଡାକ୍ତରଖାନାରେ ଡାକ୍ତର କରିମଙ୍କୁ ମୃତ ଘୋଷଣା କରିଛନ୍ତି।