ଢେଙ୍କାନାଳ: ମହିମା ଧର୍ମୀଙ୍କ ପ୍ରମୁଖ ଧର୍ମସ୍ଥଳୀ ଯୋରନ୍ଦା ପୀଠରେ ଆଜିଠାରୁ ପ୍ରସିଦ୍ଧ ମହିମା ମେଳା ଆରମ୍ଭ ହୋଇଛି, ଯାହା ୭ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଆଜି ଓ ଆସନ୍ତାକାଲି—ଏହି ଦୁଇ ଦିନ ମହିମା ଧର୍ମର ସାଧୁ-ସନ୍ଥ ଓ ଭକ୍ତମାନଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରେ। ମାଘ ଚତୁର୍ଦ୍ଦଶୀ ତିଥିରେ ମହିମା ଧର୍ମର ମୁଖ୍ୟ ଗୁରୁ ଅଲେଖ ଗୋସେଇଁଙ୍କ ଦେହତ୍ୟାଗ ହୋଇଥିବାରୁ, ଏହି ଦିନକୁ ସ୍ମୃତି ଓ ଶ୍ରଦ୍ଧା ସହ ପାଳନ କରାଯାଉଛି। ଏହି ଅବସରରେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ସାଧୁ-ସନ୍ଥ ଓ ଭକ୍ତମାନେ ଯୋରନ୍ଦା ପୀଠରେ ଏକତ୍ରିତ ହୋଇ ଗୋସେଇଁଙ୍କ ସମାଧି ପୀଠ ଗାଦି ମନ୍ଦିରରେ ଘିଅ ଓ ନଡ଼ିଆ ଅଗ୍ନିରେ ସମର୍ପଣ କରି ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛନ୍ତି।
ସୂର୍ଯ୍ୟାସ୍ତ ପରେ ଗାଦି ମନ୍ଦିରର ଚାରି ଦୁଆରରେ ପିତ୍ତଳର ୧୦୮ ଝାଡ଼ବତି ପ୍ରଜ୍ୱଳିତ କରାଯିବ, ଯାହା ମହିମା ମେଳାର ଏକ ମୁଖ୍ୟ ଆକର୍ଷଣ ଭାବେ ଗଣ୍ୟ। ଆଜିର ଦିନଟି ଗୁରୁ ଓ ଶିଷ୍ୟଙ୍କ ମିଳନର ପର୍ବ ଭାବେ ପାଳିତ ହେଉଛି। ଏହି ଦୁଇ ଦିନରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପୁଲିସ୍ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧ ତାରିଖ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଯୋରନ୍ଦା ଗସ୍ତ କାର୍ଯ୍ୟକ୍ରମ ରହିଥିବାରୁ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି। ରାଜ୍ୟ ଭିତରୁ ଏବଂ ବାହାର ରାଜ୍ୟରୁ ଭକ୍ତମାନେ ଲଗାତାର ଯୋରନ୍ଦାକୁ ପହଞ୍ଚୁଛନ୍ତି।