ପୁରୀ : ରାତିପାହିଲେ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହା ପୂର୍ବରୁ ଆଜି ପୁରୀ ଗସ୍ତରେ ଆସି ଗୁଣ୍ଡିଚା ମନ୍ଦିର ସହ ବାଡଦାଣ୍ଡକୁ ମାର୍ଜନା ଓ ସଫେଇ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ରଥ ଦାଣ୍ଡକୁ ମାର୍ଜନା କରିବାର ପରମ୍ପରା ରହି ଆସିଛି । ତେଣଉ ମହାପ୍ରଭୁଙ୍କ ଏହି ମହାନ ବଡଦାଣ୍ଡକୁ ମାର୍ଜନା କରି ସେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି । ମହାପ୍ରଭୁଙ୍କ ଏହି ପବିତ୍ର ବଡଦାଣ୍ଡକୁ ସଫା ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କେ.ବି. ସିଂହଦେଓଙ୍କ ସହ ମନ୍ତ୍ରୀମଣ୍ଡଳର ସଦସ୍ୟ, ପୁରୀ ସାଂସଦ ଏବଂ ଅନେକ ବିଧାୟକ ଉପସ୍ଥିତ ରହି ବଡଦାଣ୍ଡକୁ ସଫା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀକୁ ଆସିଥିବା ପ୍ରାୟ ୩୦ ରୁ ଅଧିକ ସ୍ୱେଚ୍ଛାସେବୀ ସଂଗଠନ , ସ୍କାଉଟ, ଗାଇଡ ଓ କଲେଜ ଛାତ୍ରଛାତ୍ରୀମାନେ ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ସହ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ସ୍କାଉଟ ଗାଇଡ୍ସର ଛାତ୍ରଛାତ୍ରୀମାନେ ମଧ୍ୟ ବେଶ ଉତ୍ସାହିତ ହୋଇପଡିଥିଲେ ।