ଗୋପ(ଜୟନ୍ତ କୁମାର ସେଠୀ): ଶ୍ରୀମନ୍ଦିରରେ ଆଜି ସମ୍ପନ୍ନ ହେବ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୁଏ ଶ୍ରୀଜୀଉଙ୍କ ଏହି ଅଲୌକିକ ବେଶ । ଏହି ଦିନ ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ର ଦେବଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜୀଉମାନଙ୍କ ମଧ୍ୟାହ୍ନ ଧୂପ ସମାପ୍ତି ପରେ ଏହି ବେଶ ଲାଗି ହୋଇଥାଏ । ପ୍ରଳମ୍ବାସୁର ଆଖ୍ୟାୟିକା ସଂପର୍କରେ ପୁରାଣରେ ବର୍ଣ୍ଣନା କରାଯାଇଛି । ଛଦ୍ମ ବେଶରେ ପ୍ରଳମ୍ବାସୁର ନାମକ ଏକ ରାକ୍ଷସ ମାମୁଁ କଂସଙ୍କ ନିର୍ଦ୍ଦେଶ କ୍ରମେ ପ୍ରଭୁ ବଳରାମ ଓ କୃଷ୍ଣଙ୍କୁ ମାରିବାକୁ ଆସି ନିଜେ ବଧ ହୋଇଥିଲା । ସେହି ଘଟଣାର ସ୍ମାରକୀକୁ ଅବଲମ୍ବନ କରି ଶ୍ରୀମନ୍ଦିରରେ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହୋଇଥାଏ ।
ଏହି ବେଶରେ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରା ସାଧାରଣ ବେଶରେ ବିରାଜମାନ ହେଉଥିବା କେବଳ ଶ୍ରୀବଳଭଦ୍ରଙ୍କୁ ପ୍ରଳମ୍ବାସୁର ବଧ ବେଶରେ ଭୂଷିତ କରାଯାଏ । କାଷ୍ଠ ନିର୍ମିତ ଏକ ବିରାଟକାୟ ପ୍ରଳମ୍ବାସୁର ମୂର୍ତ୍ତି ରତ୍ନ ସିଂହାସନସ୍ଥ ବଳଭଦ୍ରଙ୍କ ନିମ୍ନ ଭାଗରେ ସଜ୍ଜିତ କରାଯାଏ । ସେହି ଅସୁରର ସ୍କନ୍ଧ ଏବଂ ଦୁଇ ଭୂଜରେ ବଳଭଦ୍ର ବସିଥିବା ଭଳି ଦୃଶ୍ୟ ଏହି ବେଶରୁ ସୃଷ୍ଟି ହୁଏ । ଏହି ବେଶ ଦ୍ୱିପ୍ରହର ଧୂପ ପରେ ଅନୁଷ୍ଠିତ ହୋଇଥାଏ ।