ଅଗଷ୍ଟ ୧୪କୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲା

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଦୀର୍ଘଦୀନ ଧରି ଓଡିଶା ଓ ଛତିଶଗଡ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ଅଗଷ୍ଟ ୧୪ ତାରିଖକୁ ଘୁଞ୍ଚିଲା । ମହାନଦୀ ଜଳବିବାଦ ମାମଲାର ୨୧ ତମ ଶୁଣାଣିରେ କୌଣସି ସମାଧାନ ବାହାରି ପାରି ନାହିଁ । କରୋନା ସଂକ୍ରମଣକୁ ଆଖିଆଗରେ ରଖି ଗତ ଅପ୍ରେଲ ୧୦ ଓ ମେ’ ୮ ତାରିଖର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ଶୁଣାଣି ପୂର୍ବରୁ ଗତ ୨୪ ରେ ଛତିଶଗଡ ସରକାରଙ୍କ ପକ୍ଷରୁ ପୁଣି ଥରେ ମହାନଦୀ ଜଳପ୍ରବାହ ସଂପର୍କିତ ଅଧିକ ତଥ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ମଗାଯାଇଥିଲା । ଅନ୍ତରୀଣ ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ଟ୍ରିବ୍ୟୁନାଲ୍ ଦୁଇ ରାଜ୍ୟକୁ ଅନେକଥର ସୁଯୋଗ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷ ବାହାରିପାରିନାହିଁ।

ଆଜି ହୋଇଥିବା ଶୁଣାଣିରେ ଟ୍ରିବ୍ୟୁନାଲ କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ନୋଟିସ ଜାରି କରି ୬ ସପ୍ତାହ ଭିତରେ ମହାନଦୀ ଜଳ ସଂପର୍କିତ ସମସ୍ତ ନଥିପତ୍ର ଓ ଦସ୍ତାବିଜ ଉଭୟ ଓଡିଶା ଏବଂ ଛତିଶଗଡକୁ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ ମାର୍ଚ୍ଚ ୧୨ରୁ ଗଠିତ ଟ୍ରିବ୍ୟୁନାଲର ପ୍ରଥମ ୩ ବର୍ଷର ଅବଧି ଚଳିତ ବର୍ଷ ମାର୍ଚ୍ଚ ୧୧ରେ ଶେଷ ହୋଇଯାଇଥିବାରୁ ନିକଟରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲର ଅବଧିକୁ ଆଉ ଦୁଇବର୍ଷ ବଢାଇ ଦେଇଛନ୍ତି । ଟ୍ରିବ୍ୟୁନାଲଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଇତିମଧ୍ୟରେ କମନ୍ ଇନଫରମେଶନ ଫର୍ମାଟକୁ ମୂଳ ମାମଲାରେ ଚୂଡାନ୍ତ ହୋଇ ସାରିଥିବା ୪୭ଟି ପ୍ରସଙ୍ଗ ସହିତ ଲିଙ୍କ୍ କରାଯାଇଛି।