(ଗଂଜାମ /ହରପ୍ରସାଦ ବିଷୋୟୀ) : ଗଞ୍ଜାମ ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆଜିଠାରୁ ଆରମ୍ଭ ହୋଇଛି । ଚୈତ୍ର ପର୍ବ ଲାଗି କୋଭିଡ କଟକଣା ମଧ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । କରୋନା ସଂକ୍ରମଣ ହେତୁ ବୟସ୍କ, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ନ ଯିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ପ୍ରତି ସୋମବାର ଦିନ ତାରାତାରିଣୀ ମନ୍ଦିରର ସମସ୍ତ ସେବାୟତଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ଗତକାଲି ୪୯ଜଣ ସେବାୟତଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯାଇଛି । ସବୁ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି ।ଗତବର୍ଷ କରୋନାର ପ୍ରକୋପ ଲାଗି ମା ତାରାତାରିଣୀଙ୍କ ଚୈତ୍ର ପର୍ବ ଦୁଇ ପାଳି ପରେ ଆଉ ହୋଇପାରିନଥିଲା । ଭକ୍ତଙ୍କ ବିନା କେବଳ ମା’ ଙ୍କ ନୀତିକାନ୍ତି ପାଳିତ ହୋଇଥିଲା । ପର୍ବ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ଗଞ୍ଜାମ ପୁଲିସ ପକ୍ଷରୁ ଗହଳି ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୦ ପ୍ଲାଟୁନ୍ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଛି ।ଏଥିସହ ୮ ପ୍ଲାଟୁନ କନଷ୍ଟେବଳ ଓ ୯ ପ୍ଲାଟୁନ୍ ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି । ୩ ଜଣ ଅତିରିକ୍ତ ଏସ୍ପି, ୩ ଜଣ ଡିଏସ୍ପି, ୧୨ଜଣ ଇନ୍ସପେକ୍ଟର, ୧୪ ଜଣ ସବ୍ ଇନ୍ସପେକ୍ଟର, ୬୨ଜଣ ଏଏସଆଇଙ୍କୁ ନିୟୋଜିତ କରାଯାଇଛି ।