ପୁଣି ରାଜଧାନୀରୁ ଲୁଟ

0

ଭୁବନେଶ୍ୱର/ସରୋଜ ରାଉତ: ରାଜଧାନୀ ଭୁବନେଶ୍ୱର ହୋଇଛି ସବୁଠାରୁ ଅସୁରକ୍ଷିତ ସହର । ପ୍ରତିଦିନ ରାଜଧାନୀରେ ଘଟୁଛି କିଛି ନା କିଛି ଛୋଟ ବଡ ଅପରାଧ । ଆଜି ବି ରାଜଧାନୀର ବ୍ୟସ୍ତବହୁଳ ଆପୋଲୋ ହସ୍ପିଟାଲ ରାସ୍ତାରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛି ଦୁର୍ବୃତ୍ତ । ଲୁଟର ଶିକାର ହୋଇଥିବା ଜଗସିଂହପୁରର ଶୁଭଶ୍ରୀ ଜେନା ଲୁଟେରାଙ୍କୁ ଧରିବାକୁ ଯାଇ ଭାରସାମ୍ୟ ହରାଇ ଗାଡିରୁ ପଡି ଆହତ ହୋଇଛନ୍ତି । ଏନେଇ ସହିଦ ନଗର ଥାନାରେ ଏକ ମାମଲା ରୁଜୁ ହୋଇଛି । ସେହିପରି ବାଲିଅନ୍ତା ଥାନା ଅଧୀନରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟଠାରୁ ବନ୍ଧୁକ ମୁନରେ ଏକ ଲକ୍ଷ ଟଙ୍କା ଲୁଟ କରିଛନ୍ତି ଦୁର୍ବୃତ୍ତ ।
କରୋନା ପାଇଁ ରାଜଧାନୀର ବିଭିନ୍ନ ଛକ, ବଜାରରେ ପୁଲିସ ମାଳମାଳ । ଟିକିଏ ଭୁଲ ଚୁକ ହେଲେ ପୁଲିସ ମାଡିବସୁଛି ସାଧାରଣ ଜନତାଙ୍କୁ । କିନ୍ତୁ ଅପରାଧୀ ବେଧଡ ହୋଇ ଚଳାଇଛନ୍ତି ଅପରାଧ । ରବିବାର ଦିନ ସାମନ୍ତରାପୁର ଅଞ୍ଚଳରେ ଜଣେ ଦୋକାନୀଙ୍କୁ ଦିନ ଦିପହରରେ ହାଣି ହତ୍ୟା କରାଯାଇଛି । ପ୍ରତିଦିନ ଛିନତାଇ ଲୁଟ ପରି ଏକାଧିକ ଘଟଣା ଘଟୁଛି । କିନ୍ତୁ ଏସବୁ ରୋକିବାରେ ପୁଲିସ ସଫଳ ହେଉନାହିଁ । ତେବେ କଣ ପୁଲିସ ରାଜଧାନୀରେ କେବଳ ସାଧାରଣ ଜନତାଙ୍କୁ ହଇରାଣ କରିବାକୁ ରହିଛି? ଅପରାଧ ହଟାଇବାରେ ପୁଲିସ ବଳ କଣ ଅକ୍ଷମ?