ବଙ୍ଗୋପସାଗରରେ ସକ୍ରିୟ ହେଲା ଲଘୁଚାପ

ଭୁବନେଶ୍ୱର : ଓଡିଶା ବାସୀଙ୍କ ପାଇଁ ଖୁସି ଖବର । ଓଡିଶାରେ ମରୁଡି ସ୍ଥିତି ବୃଦ୍ଧି ପାଇଥିବା ବେଳେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଏହାରି ଭିତରେ ଓଡିଶାରେ ବର୍ଷା ହେବା ନେଇ ଖବର ଆସିିଛି । ବଙ୍ଗୋପସାଗରର ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଉପକୂଳ ଓଡ଼ିଶାରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ସ୍ପଷ୍ଟ ଚିହ୍ନିତ ହେବା ସହ ଦକ୍ଷିଣ ଓଡ଼ିଶା ଏବଂ ପଡ଼ୋଶୀ ଦକ୍ଷିଣ ଛତିଶଗଡ଼ ଉପରେ ବିସ୍ତାରିତ ହୋଇ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକା ଏବଂ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜଗତସିଂହପୁର, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ନୁଆପଡ଼ା, ନବରଙ୍ଗପୁର ଜିଲ୍ଲାର ଗୋଟିଏ ଏକ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲା ପାଇଁ ହଳଦିଆ ଚେତାବନୀ ବା ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।