ଭୁବନେଶ୍ୱର:- ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ‘ହରିଜନ’ ଶଦ୍ଦ ବ୍ୟବହାର ହୋଇପାରିବ ନାହିଁ। ରାଜ୍ୟ ସରକାର ‘ଅନୁସୂଚିତ ଜାତି’ ଶଦ୍ଦକୁ ଗୁରୁତ୍ବ ଦେଇଛନ୍ତି ଏବଂ ‘ହରିଜନ’ ଶଦ୍ଦ ବଦଳରେ ‘ଅନୁସୂଚିତ ଜାତି’ ଶଦ୍ଦ ବ୍ୟବହାର କରିବା ନେଇ ଚିଠି ଜାରି କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।
ଏହି ଚିଠି ଅନୁସାରେ ଜାତି ପ୍ରମାଣପତ୍ରରେ ମଧ୍ୟ ହରିଜନ ଶଦ୍ଦକୁ ବ୍ୟବହାର କରାଯାଇ ପାରିବ ନାହିଁ। ଅର୍ଥାତ ଜାତି ପ୍ରମାଣପତ୍ରରେ ରେକର୍ଡ, ପ୍ରକାଶନ, ବିଭାଗୀୟ ନାମ କିମ୍ବା ଅନ୍ୟ କୌଣସି ସ୍ଥାନରେ ବ୍ୟବହୃତ ହେବ ନାହିଁ। ଭାରତୀୟ ସମ୍ବିଧାନର ଧାରା ୩୪୧ ଅନୁଯାୟୀ ଅଧିସୂଚିତ ଅନୁସୂଚିତ ଜାତିର ବ୍ୟକ୍ତିମାନଙ୍କୁ ସୂଚିତ କରିବା ପାଇଁ କେବଳ ସାମ୍ବିଧାନିକ ଶବ୍ଦ “ଅନୁସୂଚିତ ଜାତି”, ଇଂରାଜୀରେ ଏବଂ ଏହାର ଉପଯୁକ୍ତ ଅନୁବାଦ ଓଡ଼ିଆରେ ଅର୍ଥାତ୍ କିମ୍ବା ଅନ୍ୟାନ୍ୟ ଜାତୀୟ ଭାଷାରେ ବ୍ୟବହୃତ ହେବ ।
ସୂଚନାଯୋଗ୍ୟ, ‘ହରିଜନ’ ଶଦ୍ଦକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ହେଉଥିବା ନଜିର ରହିଛି। ଏପରିକି ‘ହରିଜନ’ ଶଦ୍ଦକୁ ନେଇ ଗୋଷ୍ଠୀ ବିବାଦ, ହିଂସା କାଣ୍ଡ ମଧ୍ୟ ହେଉଛି। ଏହି ଶଦ୍ଦର ବ୍ୟବହାରକୁ ନେଇ ମାମଲା ଥାନା ଓ କୋର୍ଟରେ ମଧ୍ୟ ପହଞ୍ଚିଛି। ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ଏହି ନିର୍ଦ୍ଦେଶ କଡା କଡ଼ି ପାଳନ ହେବ ।