ପୁଣି ପାଣିରେ ବୁଡିଲା ସୂର୍ଯ୍ୟମନ୍ଦିର

(ଜୟନ୍ତ କୁମାର ସେଠୀ): ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଶ୍ୱ ପର୍ୟ୍ୟଟନସ୍ଥଳୀ କୋଣାର୍କର ଅବସ୍ଥା ବେହାଲ ହୋଇପଡିଛି । ଜଳ ନିଷ୍କାସନ ଜନିତ ସମସ୍ୟା ଯୋଗୁ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ପାଣି । ଫଳରେ ପର୍ୟ୍ୟଟକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ବିଶ୍ୱ ପର୍ୟ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା କୋଣାର୍କ ମନ୍ଦିରର ଅବସ୍ଥା ବେହାଲ ହୋଇପଡିଛି । ଅସରାଏ ବର୍ଷାରେ ଲହଡି ଭାଙ୍ଗୁଛି ପାଣି । ମନ୍ଦିର ପରିସର ସହିତ ଏହାର ଆଖପାଖ ଅଞ୍ଚଳରେ ସାମାନ୍ୟ ବର୍ଷାରେ ପାଣି ଜମିଛି । ମନ୍ଦିର ଚାରିପାଖରେ ଜମି ରହୁଥିବା ବର୍ଷାପାଣି ନିଷ୍କାସନ ପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଡ଼୍ରେନ ଗୁଡ଼ିକ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇ ରହିଥିବାରୁ ବର୍ଷାପାଣି ନିଷ୍କାସିତ ହୋଇପାରୁନି । ତେଣୁ ବର୍ଷା ପାଣି ଜମି ରହୁଛି । ତେଣୁ ଏଠାକୁ ବୁଲି ଆସିଥିବା ପର୍ୟ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ୟ୍ୟମନ୍ଦିରରେ ଏହି ଜଳାର୍ଣ୍ଣବ ପରିବେଶକୁ ଦେଖି ପର୍ୟ୍ୟଟକମାନେ ସେମାନଙ୍କ ଅସନ୍ତୋଷ ଖୋଲାଖୋଲି ଭାବେ ବ୍ୟକ୍ତ କରିଛନ୍ତି ।