ଦୁବାଇ: ଶେଷ ହେଲା ଇଣ୍ଡିଆନ ପ୍ରିମିୟର ଲିଗ(IPL) । IPLର ଫାଇନାଲ ମ୍ୟାଚରେ ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଦେଖିବାକୁ ମିଳିଥିଲା ଏକ ରୋମାଞ୍ଚକର ମ୍ୟାଚ । କିନ୍ତୁ ଯେଉଁ ଦଳର ମଙ୍ଗ କ୍ୟାପ୍ଟେନ କୁଲ ମାହିଙ୍କ ହାତରେ ରହିଛି, ସେହି ଦଳ ଏତେ ଶୀଘ୍ର ବୁଡିବ ବା କେମିତି ? ସବୁ ଘାତ ପ୍ରତିଘାତକୁ ଏଡାଇ ଆଇପିଏଲ ୨୦୨୧ରେ ବିଜୟ ବାନା ଉଡାଇଛି ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ । ଚତୁର୍ଥ ଥର ପାଇଁ ଟାଇଲ ନିଜ ନାମରେ କରିଛନ୍ତି ମହେନ୍ଦ୍ର ସଂହ ଧୋନୀ । ଏହା ସହିତ କୋଲକାତାର ତୃତୀୟ ଟ୍ରଫିର ଆଶା ଧୂଳିସାତ ହୋଇଯାଇଛି ।
ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୧ର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ସିଏସକେ ଏବଂ କେକେଆର । ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ କେକେଆର ଅଧିନାୟକ ଇଓନ ମୋର୍ଗାନ । ଚେନ୍ନାଇ ତରଫରୁ ଓପନର ଫାଫ ଡୁ ପ୍ଲେସିସ ଏବଂ ଋତୁରାଜ ଗାଏକ୍ୱାଡ ଦଳକୁ ପୂର୍ବ ପରି ଭଲ ଆରମ୍ଭ ଦେଇଥିଲେ । ତେବେ ୩୨ ରନ କରି ପାଭିଲିୟନ ଫେରି ଯାଇଥିଲେ ଚେନ୍ନାଇର ଘାତକ ଓପନର ଋତୁରାଜ । ଏହାପରେ ଡୁ ପ୍ଲେସିସଙ୍କ ସହ ମିଶି ବ୍ୟକ୍ତିଗତ ୩୧ ରନ ଯୋଡିଥିଲେ ରବିନ ଉଥାପ୍ପା । ତାଙ୍କ ୱିକେଟ ପରେ ମୋଇନ ଅଲୀ ମଧ୍ୟ ଡୁ ପ୍ଲେସିସଙ୍କ ସହିତ ମିଶି ଦଳକୁ ଆଗେଇ ନେଇଥିଲେ । ୨୦ ଓଭର ଶେଷ ସୁଦ୍ଧା ଚେନ୍ନାଇ ୧୯୨ ରନର ଏକ ବିଶାଳ ଲକ୍ଷ୍ୟ ରଖିଥିଲା କେକେଆର ସାମ୍ନାରେ । ଦଳ ତରଫରୁ ଡୁ ପ୍ଲେସିସ ସର୍ବାଧିକ ୮୬ ରନ ସଂଗ୍ରହ କରିଥିଲେ ।
ଏହାପରେ କୋଲକାତା ପକ୍ଷରୁ ଓପନିଂ କରି ବହୁତ ସୁନ୍ଦର ଆରମ୍ଭ କରିଥିଲେ ଦୁଇ ଯୁବ ଓପନର ଶୁଭମନ ଗିଲ ଏବଂ ଭେଙ୍କଟେଶ ଆୟର । କିନ୍ତୁ ଦୁହିଁଙ୍କ ୱିକେଟ ପରେ କୋଲକାତା ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ କରିଥିଲା । ଫଳରେ ୯୧ ରନରେ ପ୍ରଥମ ୱିକେଟ ହରାଇଥିବା କୋଲକାତା ଆଗାମୀ ୪୦ ରନ ମଧ୍ୟରେ ଏହାର ୭ଟି ୱିକେଟ ହରାଇଥିଲା । ଶେଷରେ ୨୦ ଓଭର ଶେଷ ସୁଦ୍ଧା କେକେଆର ମାତ୍ର ୧୬୫ ରନରେ ୯ ୱିକେଟ ହରାଇଥିଲା । ଏଥିମଧ୍ୟରେ ଦୁଇ ଓପନର, ଲକି ଫର୍ଗୁସନ ଏବଂ ଶିଭମ ମାବିଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଦୁଇ ଓପନରଙ୍କ ଅର୍ଦ୍ଧଶତକ ପରେ ମଧ୍ୟ ଦଳ ୧୬୫ ରନରେ ସିମୀତ ରହିଯାଇଛି । ତେବେ ଶେଷରେ ୨୭ ରନ ବ୍ୟବଧାନରେ ଚେନ୍ନାଇ ଆଗରେ ହାର ମାନିଥିଲା କୋଲାକାତା । ଚେନ୍ନାଇ ତରଫରୁ ଶାର୍ଦ୍ଦୂଳ ଠାକୁର ୨୧ ରନ ବ୍ୟୟରେ ୩ଟି ୱିକେଟ ନେଇଥିବା ବେଳେ ଜୋସ ହାଜେଲଉଡ ଏବଂ ରବିନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ତେବେ ଦୀପକ ଚହର ଏବଂ ଡ୍ୱେନ ବ୍ରାଭୋ ଗୋଟିଏ ଲେଖାଏଁ ୱିକେଟ ନେଇ କୋଲାକାତା ବ୍ୟାଟିଂ ଲାଇନ ଅପକୁ ସମ୍ପୂର୍ଣ୍ଣ ଧୂଳିସାତ କରି ଦେଇଛନ୍ତି ।
ଗୋଟିଏ ବର୍ଷ ତଳେ ଅର୍ଥାତ ଆଇପିଏଲ ୨୦୨୦ରେ ଅତ୍ୟନ୍ତ ନୈରାଶଜନକ ପ୍ରଦର୍ଶନ କରି ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ଥିଲା ଚେନ୍ନାଇ ସୁପରକିଙ୍ଗ୍ସ। ଏପରିକି ପ୍ରଥମ ଦଳ ଭାବେ ଗତ ସିଜିନରେ ପ୍ଲେଅଫ୍ରୁ ବାଦ୍ ପଡିଥିଲା ଚେନ୍ନାଇ। ଦଳର ବରିଷ୍ଠ ଖେଳାଳିଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ହେଲେ ଆଇପିଏଲ ୨୦୨୧ରେ ସେହି ସମାନ ଖେଳାଳି ସବୁ ଭୁଲ୍ ପ୍ରମାଣିତ କରିଛନ୍ତି। ପୁଣି ଥରେ ଆଇପିଏଲରେ ବିଜୟ ବାନା ଉଡାଇଛି ଚେନ୍ନାଇ ସୁପରକିଙ୍ଗ୍ସ। ଆଜି ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ଚେନ୍ନାଇ କୋଲକାତାଙ୍କୁ ୨୭ ରନରେ ପରାସ୍ତ କରି ଆଇପିଏଲ ୨୦୨୧ ଚାମ୍ପିଅନ ହୋଇଛି। ଏଥିସହ ଧୋନୀଙ୍କ ନେତୃତ୍ଵରେ ଚେନ୍ନାଇ ଚତୁର୍ଥ ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଚେନ୍ନାଇ ପୂର୍ବରୁ ୨୦୧୦, ୨୦୧୧ ଓ ୨୦୧୮ରେ ଆଇପିଏଲରେ ଟାଇଟଲ୍ ହାସଲ କରିଥିଲା।