ତପୋଇର ଦୁଃଖ କାହାଣୀ: ଖୁଦୁରୁକୁଣୀ

ଭୁବନେଶ୍ଵର: ବାର ମାସରେ ତେର ପର୍ବ । ସନାତନ ଧର୍ମ ବା ଜଗନ୍ନାଥ ସଂସ୍କୃତି ଅନୁଯାୟୀ ହିନ୍ଦୁଧର୍ମରେ ରାଜ୍ୟର ପୁରପଲ୍ଲୀରେ ଖୁଦୁରୁକୁଣୀ ତଥା ଭାଲୁକୁଣି ଓଷା କୁଆଁରୀ ମାନଙ୍କର ମୁଖ୍ୟପର୍ବ ଭାବେ ପରିଚିତ। ଭାଦ୍ରବମାସରେ ଏହି ଓଷାକୁ କୁଆଁରୀ ମାନେ ଓ ନବ ବିବାହିତା ମାନେ ପାଳନ କରିଥାନ୍ତି। ଆଜି ଭାଦ୍ରବ ମାସର ପ୍ରଥମ ରବିବାର ହେତୁ ଖୁଦୁରୁକୁଣୀ ଓଷା ଆରମ୍ଭ ହୋଇଛି। କୁଆଁରୀମାନେ ଭାଇର ମଙ୍ଗଳକାମନା କରି ଏହି ଓଷା ବା ବ୍ରତ କରିଥାନ୍ତି। ଖୁଦୁରୁକୁଣୀ ଓଷା ଓଡ଼ିଶାର ଏକ ପାରମ୍ପାରିକ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହାକୁ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରିଥାନ୍ତି । ପୂର୍ବରୁ ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣୀଙ୍କୁ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ । ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି ।

ଭାଇ ଭଉଣୀର ସମ୍ପର୍କକୁ ମନେପକେଇ ଦେବା ପର୍ବ ହେଉଛି ଖୁଦୁରୁକୁଣୀ। ସମାଜକୁ ନାରୀର ଅବଦାନ ଓ ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରୁଥିବା ପର୍ବ ହେଉଛି ଖୁଦୁରୁକୁଣୀ। ପରିବାର ଭିତରେ ସମ୍ପର୍କର ଡୋରି ବାନ୍ଧିବାର ପର୍ବ ହେଉଛି ଖୁଦୁରୁକୁଣୀ। ଏନେଇ ଓଡିଶାର କୁମାରୀମାନେ ଭାଦ୍ରବର ପ୍ରତି ରବିବାରରେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜଳ ଭବିଷ୍ୟତ ଓ ଦୀର୍ଘ ଆୟୁ କାମନା କରି ମା ମଙ୍ଗଳାକୁ ସ୍ମରଣ କରିଥାନ୍ତି । ଓଡିଆ ଘରର ବୋହୂମାନେ ବି ଏହି ବ୍ରତକୁ ପାଳନ କରନ୍ତି। ଭାଦ୍ରବ ମାସର ପ୍ରତି ରବିବାରରେ ଖୁଦୁରୁକୁଣୀ ଓଷା ପାଳିତ ହୁଏ। ଏହି ଦିନ ସକାଳୁ କୁଆଁରୀ ଝିଅମାନେ ଖୁଦୁରୁକୁଣୀ ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କଣ୍ଟିଆଳି କାକୁଡ଼ି ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି । ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ । ତାଙ୍କୁ “ଖୁଦରଙ୍କୁଣି” ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ । ଯାହା ପାଇଁ ତାହାଙ୍କର ନାମ ଖୁଦୁରୁକୁଣୀ ହୋଇଛି । ଝିଅମାନେ ଗାଧୋଇ ପାଧୋଇ ଫୁଲ ତୋଳି ନଦୀ କୁଳେ ବାଲିରେ ଛୋଟ ଛୋଟ ଦେଉଳ ତୋଳି ତାହାକୁ ଫୁଲରେ ସଜାଇଥାନ୍ତି ଓ ସେଥିରେ ଠାକୁରାଣିଙ୍କୁ ଅଧିଷ୍ଠିତ କରାଇ ପୂଜା କରିଥାନ୍ତି ଓ ଯେଝା ଘରକୁ ଲେଉଟିଆସିଥାନ୍ତି । ଏହା ପରେ ସେମାନେ ଫୁଲ ମାଳ କରି ଠାକୁରାଣୀଙ୍କୁ ସଜାଇଥାନ୍ତି । ଗାଁମାନଙ୍କରେ ଖୁଦୁରୁକୁଣୀଙ୍କୁ ଢିଙ୍କିଶାଳରେ ପୂଜା କରାଯାଇଥାଏ । ଏହି ଜାଗାଟିକୁ ଗୋବରରେ ଲିପା ପୋଛା କରି ସେଠାରେ ଦେବୀଙ୍କୁ ଅଧିଷ୍ଠିତ କରାଯାଇଥାଏ । ଏଥିରେ ରଙ୍ଗବେରଙ୍ଗର ମୁରୁଜରେ ଝୋଟି ଚିତା ପକାଯାଇଥାଏ । ଫୁଲରେ ତୋରଣ ସବୁ ତିଆରି କରାଯାଇଥାଏ । ଦିନ ସାରା ଏହି ସଜାଣିରେ ସମୟ ବିତିବା ପରେ ସଞ୍ଜବେଳରେ ପୂଜା ଆରମ୍ଭ ହୋଇଥାଏ ।

ଆଗକାଳରେ ଓଡ଼ିଆ ସାଧବ ପୁଅମାନେ ବିଦେଶକୁ ବଣିଜ କରିବାକୁ ଯାଉଥିଲେ। ସେହି ସମୟରେ ସାତଜଣ ସାଧବ ଭାଇ ଦୂରଦେଶକୁ ବଣିଜ କରିବାକୁ ଯାଇଥିଲା ବେଳେ ଘରେ ତାଙ୍କର ଘରଣୀ ଓ ଏକମାତ୍ର ସାନ ଭଉଣୀ ତଅପୋଇ ରହିଥିଲା। କେବଳ ସାନ ଭାଉଜଙ୍କୁ ଛାଡ଼ି ତଅପୋଇ ପ୍ରତି ବାକି ସବୁ ଭାଉଜ ଅନାଚାର କରୁଥିଲେ। ଅଲିଅଳରେ ବଢ଼ିଥିବା ତଅପୋଇକୁ ଘରକାମ କରେଇବା ସହିତ ଛେଳି ଚରେଇବା ପାଇଁ ପଠାଉଥିଲେ। ଭାଇମାନେ ଦୂରରେ ଥିବାରୁ ତଅପୋଇ ଏସବୁ କଥା ଆଉ କାହା ପାଖରେ କହିପାରୁ ନଥିଲା। ଏପରିକି ଭାତ ବଦଳରେ ଖୁଦ ଖାଇବାକୁ ଦେଉଥିଲେ। କେବଳ ସାନଭାଉଜ ତାକୁ ଲୁଚାଇ ଲୁଚାଇ ଖାଇବାକୁ ଦେଉଥିଲେ ଓ ସ୍ନେହ କରୁଥିଲେ। ଅନେକ ଦିନ ପରେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହେବାରୁ ତଅପୋଇ ନଦୀ ବାଲି ଉପରେ ମାଟିରେ ମୂର୍ତ୍ତି ଗଢ଼ି ଖୁଦୁରୁକୁଣୀ ଓଷା କରି ଭାଇମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରାର୍ଥନା କରିଥିଲା। ଶେଷରେ ଭାଇମାନେ ଫେରିଥିଲେ। ଭାଇମାନଙ୍କୁ ବନ୍ଦାପନା କରିବା ପାଇଁ ସବୁ ଭାଉଜ ଯାଇଥିବା ବେଳେ ତଅପୋଇକୁ ଘରକୋଣରେ ବାନ୍ଧି ଦେଇଥିଲେ। ତଅପୋଇ ନ ଆସିଲେ ସେମାନେ ବୋଇତରୁ ଓହ୍ଲାଇବେ ନାହିଁ କହିବାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ ଫିଟାଇ କହିଲେ। ଦଣ୍ଡ ସ୍ୱରୁପ କେବଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧବ ବାକି ସମସ୍ତଙ୍କର ନାକ କଟାଇଥିଲେ । ଓଡ଼ିଆ ଚଳଣିର ଏହି ଲୋକକଥାକୁ ନେଇ କୁଆଁରୀ ଝିଅମାନେ ଭାଇମାନଙ୍କ ଶୁଭ ମନାସି ଭାଦ୍ରବ ମାସରେ ଏହି ଖୁଦୁରୁକୁଣି ଓଷା କରିଥାନ୍ତି।