ଭୁବନେଶ୍ଵର: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କଟକ ଜିଲ୍ଲାର କଣ୍ଟାପଡା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଛି। ସୂଚନା ଅନୁସାରେ, ବୁଧବାର ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ପ୍ରସନ୍ନ ସାମନ୍ତରାୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗକୁ ନେଇ ବିଭିନ୍ନ ସ୍ଥାନରେ ଏକାସାଥିରେ ଚଢାଉ କରିଥିଲା।

ଏହି ଚଢାଉ ସମୟରେ ପୁରୀର ଗଡିଶାଗଦା ଥାନା ଅଞ୍ଚଳରେ ଥିବା ତାଙ୍କ ପୈତୃକ ଘର, କଟକର କଣ୍ଟାପଡା ତହସିଲ କାର୍ଯ୍ୟାଳୟ ସ୍ଥିତ ସରକାରୀ ବାସଭବନ, ଭୁବନେଶ୍ଵରରେ ଥିବା ତାଙ୍କର ନିଜସ୍ୱ ତିନି ମହଲା ବିଶିଷ୍ଟ ଦୁଇଟି ଘର ଓ ସମ୍ପର୍କୀୟଙ୍କ ଘର ସହିତ ମୋଟ ୭ଟି ସ୍ଥାନରେ ତଲାଶି କରାଯାଇଥିଲା । ତଦନ୍ତ ସମୟରେ ଭିଜିଲାନ୍ସ ଟିମ୍ ପକ୍ଷରୁ ପ୍ରାୟ ୨ ଲକ୍ଷ ୧୫ ହଜାର ଟଙ୍କା ନଗଦ ଏବଂ ୭ଟି ବହୁମୂଲ୍ୟବାନ ଜମି ପ୍ଲଟର ଦଲିଲ ଜବତ କରାଯାଇଥିବା ସୂଚନା ମିଳିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ଅଧିକ ସମ୍ପତି ସମ୍ବନ୍ଧୀୟ ସୂଚନା ମିଳିପାରେ ବୋଲି କୁହାଯାଇଛି।