(ବନବାସୀ ପ୍ରଧାନ): ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ରହଣୀ, ପୃଷ୍ଟିକର ଖାଦ୍ୟ ଓ ଶିକ୍ଷାକ୍ଷେତ୍ର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡିଡିମ ପିଟୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଏହି ଦୃଶ୍ୟ ହେଉଛି ବାଲିଗୁଡା ବ୍ଲକ ଅନ୍ତର୍ଗତ ବୁଡୁକିଆ ଆଶ୍ରମ ବିଦ୍ୟାଳୟର । ଏହି ଆଶ୍ରମରେ ପ୍ରାୟ ୧୫୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠପଢୁଛନ୍ତି । ଏହି ଆଶ୍ରମ ବିଦ୍ୟାଳୟରେ ପ୍ରଥମଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠପଢନ୍ତି । ସାତ ଜଣ ଶିକ୍ଷକଙ୍କ ବଦଳରେ ତିନି ଜଣ ଶିକ୍ଷକଙ୍କରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଠପଢା । ଟିକିଏ ବର୍ଷା ହେଲେ ଛାତ୍ରାବାସ ଘରକୁ ପାଣିଗଳିବା ସହ ଛାତ ଫଲସ୍ ଖସିବାରୁ ପିଲାମାନେ ଦୁର୍ଘଟଣାର ଶିକାର ହେଉଛନ୍ତି ।
ଆଶ୍ରମ ବିଦ୍ୟାଳୟ ପରିସରରେ ତିନୋଟି ନଳକୂପ ଥିଲେ ସୁଦ୍ଧା ଦୁଇଟି ସମୂର୍ଣ୍ଣ ଅଚଳ ହୋଇପଡିରହିଛି । ଅନ୍ୟ ନଳକୂପଟିରୁ ଲୁହାକୁଣ୍ଡ ବାହାରୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ସେହିପରି ଚାରୋଟି ପାଇଖାନା ଘର ଛାତ ଭାଙ୍ଗିଯାଇଛି । ସ୍କୁଲର ପାଚେରୀ ତଳୁଆ ଥିବାରୁ ବାହାର ପିଲାମାନେ ପାଚେରି ଡେଇଁ ଭିତରକୁ ପ୍ରବେଶ କରଛନ୍ତି । ଏହି ବିଷୟରେ ବହୁବାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହି ବିଷୟରେ ଡବ୍ଲୁଈଓଙ୍କୁ ପଚାରିବାରୁ ସେ କହିଛନ୍ତି ଖୁବ୍ ଶୀଘ୍ର ଏହି ସବୁ ସମସ୍ୟା ଦୂରିକରଣ କରାଯିବ ସହ ପିଏଆଇଟିଡିଏଙ୍କ ସହ ଏସମ୍ପର୍କରେ ଆଲେଚନା କରିଛନ୍ତି ବୋଲି ପ୍ରକାଶ କରିଛନ୍ତି ।