କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ ଏକ ବଡ଼ଧରଣର ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରିଛି

କନ୍ଧମାଳ:- କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ ଏକ ବଡ଼ଧରଣର ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଏଥିରେ ୧୦ ଟନ୍‌ ବିସ୍ଫୋରକ ସାମଗ୍ରୀ ରହିଛି । ଏହା ସହ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ତଳଦାନ୍ତଲିଙ୍ଗି ଗାଁର ଆଲୋକ ଓରଫ ଆଲବୁଟ୍‌ କୁମାର ପାତ୍ର, ଗୋପାଳପୁର ଥାନା ଆମ୍ବପୁଆର ହେମନ୍ତ ସେଠୀ ଓ ଭବାନୀପାଟଣା ନିକଟ ଜଳେଶ୍ବର ମନ୍ଦିରପଡ଼ା ଗାଁର ଶକ୍ତିରଞ୍ଜନ ଦାସ । ଏହି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ମାଓବାଦୀଙ୍କ ସହିତ ରହିଛି ଖଣି କମ୍ପାନୀଙ୍କ ସମ୍ପର୍କ । ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଅତିରିକ୍ତ ପୋଲିସ  ମହାନିର୍ଦେଶକ (ଅପରେସନ) ସଞ୍ଜୀବ ପଣ୍ଡା। ଏଡିଜି ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜବତ ହୋଇଥିବା ୧୦ ଟନ ବିସ୍ଫୋରକରୁ ଏହି ତଥ୍ୟ ମିଳିଛି । ଜବତ ଜିଲୋଟିନରୁ ଗୋଟିଏ ଖଣି କମ୍ପାନୀର ତଥ୍ୟ ମିଳିଛି । ଯାହାଫଳରେ ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଣ ନେଇ ସନ୍ଦେହ ବୃଦ୍ଧି ପାଇଛି । ବିଶେଷ କରି ଗୁଇନ୍ଦା ସ୍କାନରରେ ପଥର କ୍ଵାରୀଗୁଡ଼ିକ ରହିଛି । ଆନ୍ଧ୍ରପ୍ରଦେଶରୁ ଗଞ୍ଜାମ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି । ଖୁବଶୀଘ୍ର ମାଷ୍ଟରମାଇଣ୍ଡକୁ ପୋଲିସ ଧରିବ ବୋଲି ପୋଲିସ  ମହାନିର୍ଦେଶକ କହିଛନ୍ତି ।