ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ

ପୁରୀ: ଆଜି ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ ତିଥି  । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କାଳୀୟଦଳନ ବେଶ ଅନୁଷ୍ଠିତ ହେବ  । ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣିଘର ଭୋଗ ପରେ ରାମକୃଷ୍ଣ ଓ ମଦନମୋହନ ସିଂହାସନକୁ ବିଜେ କରିବେ । ପୂଜାପଣ୍ଡା ସେବକ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ପ୍ରଦାନ କରିବେ । ଏହାପରେ ଝୁଲଣ ମଣ୍ଡପ ନିକଟସ୍ଥ ପାଲିଙ୍କିକୁ ପ୍ରଭୁଙ୍କୁ ବିଜେ କରିବେ । ବଡ଼ଦେଉଳ ପରିକ୍ରମା କରି ମହାପ୍ରଭୁ ଲବଣିଖିଆ ମଣ୍ଡପକୁ ବିଜେ କରିବା ପରେ ସେଠାରେ ଶୀତଳ ଭୋଗ ଓ ବନ୍ଦାପନା କରାଯିବ । ପାଲିଙ୍କିରେ ବସି ପ୍ରଭୁ ମାର୍କଣ୍ଡ ପୁଷ୍କରିଣୀକୁ ବିଜେ କରିବେ । ସେଠାରେ କାଳୀୟଦଳନ ଲୀଳା ସମ୍ପନ୍ନ ହେବ ।

ଏହାପରେ ପ୍ରଭୁଙ୍କୁ ଶ୍ରୀମନ୍ଦିର ଜୟବିଜୟ ଦ୍ୱାର ନିକଟରେ ଏକାଦଶୀ ଭୋଗ ଏବଂ ବନ୍ଦାପନା କରାଯିବ । ପୁଷ୍ପାଳକ ସେବକ କାଳୀୟଦଳନ ବେଶରେ ମହାପ୍ରଭୁଙ୍କୁ ସଜ୍ଜିତ କରିବେ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ କାଷ୍ଠନିର୍ମିତ ଶ୍ରୀଭୂଜ ଓ ଶ୍ରୀପୟର ଲାଗି କରାଯିବ । ଦରଜି, ମହାରଣା, ଚିତ୍ରକର ଓ ସୋଲଶିଳ୍ପୀମାନେ ବେତ, ସୂତା ଓ କନାରେ ପ୍ରାୟ ୩୦ଫୁଟ ଲମ୍ବର ସପ୍ତଫେଣିଆ କାଳୀୟ ସର୍ପ ପ୍ରସ୍ତୁତ କରିଛନ୍ତି । ସର୍ପଟିର ସମଗ୍ର ଶରୀର କଳାକନାରେ ଆବୃତ୍ତ କରାଯିବ ଏବଂ ଆଉକିଛି ଅଂଶ ରତ୍ନସିଂହାସନ ଉପରେ ରହିବ । କାଳୀୟ ସର୍ପର ସପ୍ତଫେଣିଆ ମସ୍ତକ ଶ୍ରୀଜଗନ୍ନାଥଙ୍କ ଶ୍ରୀପୟର ତଳେ ରହିବ । ପ୍ରଭୁ ଗୋଟିଏ ହସ୍ତରେ ସର୍ପର ଲାଞ୍ଜ ଏବଂ ଅନ୍ୟ ହସ୍ତରେ ଅମୃତ ଲଡୁ ଧାରଣ କରିବେ । ଶ୍ରୀବଳଭଦ୍ର ଦଣ୍ଡାୟମାନ ଭଙ୍ଗୀରେ ରହି ବାମହସ୍ତରେ ପଦ୍ମକଢି ଓ ଡାହାଣ ହସ୍ତରେ ଅମୃତ ଲଡୁ ଧରିବେ । ଶ୍ରୀବଳଭଦ୍ରଙ୍କ ଦୁଇପାର୍ଶ୍ବରେ ଗୋଟିଏ ଲେଖାଏଁ କାଷ୍ଠନିର୍ମିତ ଗାଈବାଛୁରି ରଖାଯିବ । ଠାକୁରଙ୍କ ଶ୍ରୀମୁଖରେ କନାରେ ପ୍ରସ୍ତୁତ ପଦ୍ମବଳା ଓ ମସ୍ତକରେ ଚୂଳ ଖଞ୍ଜାଯାଇ ସୁବର୍ଣ୍ଣକିଆ ଲଗା ଯିବା ସହ ଶ୍ରୀଜଗନ୍ନାଥ ବଲ୍ଳଭ ମଠରୁ ଯୋଗା ଯାଇଥିବା ଅମୃତ ଲଡୁ ପ୍ରଭୁଙ୍କୁ ଅର୍ପଣ କରାଯିବ । କାଳୀୟଦଳନ ବେଶ ସନ୍ଧ୍ୟାଧୂପ ଶେଷ ପର୍ଯ୍ୟନ୍ତ ରହିବ ।

ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରିବାକୁ ଅପେକ୍ଷାରତ । ଯମୁନାନଦୀ ତଟ ନିକଟସ୍ଥ କାଳନ୍ଦୀହ୍ରଦରେ ଶ୍ରୀକୃଷ୍ଣ କାଳୀୟଦଳନ ଲୀଳା କରିଥିଲେ। ଏହାର ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ କାଳୀୟଦଳନ ବେଶ କରାଯାଇ ଆସୁଛି। ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରୁ ଷୋଡ଼ଶ ଶତାବ୍ଦୀରୁ ଶ୍ରୀମନ୍ଦିରରେ ଏହି ବେଶ କରାଯାଉଥିବା ଗବେଷକ ମତ ଦିଅନ୍ତି। ମହାପ୍ରଭୁଙ୍କ କାଳୀୟଦଳନ ବେଶ ଦର୍ଶନ ସହ ଅମୃତ ଲଡୁ ଭୋଗ ଭକ୍ଷଣ କଲେ ସର୍ପଦଂଶନ ଦୋଷରୁ ମୁକ୍ତି ମିଳେବୋଲି ବିଶ୍ୱାସ ରହିଛି।