ଜି.ଉଦୟଗିରି: ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟି ରାସ୍ତା ମରାମତି କାମ ବାଧାପ୍ରାପ୍ତ । ପାହାଡ଼ ଉପରୁ ପ୍ରବଳ ବର୍ଷା ପାଣି ଆସୁଥିବାରୁ ଭୂସ୍ଖଳନ ଆଶଙ୍କା ରହିଛି । କାର୍ଯ୍ୟରତ ଶ୍ରମିକ ଭୟଭୀତ ଅଛନ୍ତି । ସେପଟେ ରାସ୍ତା ମରାମତି କାମ ବାଧାପ୍ରାପ୍ତ ହୋଇଛି । ଗତ ୨୦ ଦିନ ହେଲାଣି କଳିଙ୍ଗା ଘାଟି ରାସ୍ତା ବନ୍ଦ ହୋଇ ରହିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ତେବେ ପ୍ରବଳ ବର୍ଷାରେ ବାରମ୍ବାର ଧୋଇ ହୋଇଯାଉଛି କଳିଙ୍ଗା ଘାଟି ରାସ୍ତା । ନିର୍ମାଣ ଲାଗି ପଡ଼ିଥିବା ପଥର, ବାଲି ଓ ଗୋଡ଼ି ଆଦି ଧୋଇ ହୋଇଯାଇଛି । ଭୂସ୍ଖଳନ ପରଠୁ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଯୁଦ୍ଧକାଳୀନ ଭିତ୍ତିରେ ପୁନଃନିର୍ମାଣ କାର୍ଯ୍ୟରେ ବର୍ଷା ସାଜିଛି ବାଧକ ।
ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁଁ ଗତ ସେପ୍ଟେମ୍ବର ୧୭ ତାରିଖରେ କଳିଙ୍ଗା ଘାଟି ପୁଣି ଧସି ଯାଇଥିଲା । ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୂରା ବନ୍ଦ ହୋଇଯାଇଥିଲା । କଳିଙ୍ଗାଘାଟି ଗଞ୍ଜାମ ଆଉ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିଲା । ଏହି ରାସ୍ତା ବିଜୟୱାଡା ଓ ରାଞ୍ଚି କରିଡର ହୋଇଥିବାରୁ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । ୧୦ ଦିନରେ ଘାଟି ରାସ୍ତା ଖୋଲାଯିବ ବୋଲି କହିଥିଲା ପ୍ରଶାସନ । ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା କାମ ଜାରି ରଖିଥିଲା । ମାତ୍ର ୨୦ ଦିନ ବିତିଯାଇଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଘାଟି ଉପରେ ବାରମ୍ବାର ମାଟି ଅତଡ଼ା ଖସିବାରେ ଲାଗିଛି ।