ଜି.ଉଦୟଗିରି: କଳିଙ୍ଗା ଘାଟି ଭୂସ୍ଖଳନ ପରେ ରାସ୍ତା ମରାମତି ପାଇଁ ପ୍ରାୟ ୭ ଦିନ ସମୟ ଲାଗିବ । ମରାମତି ପାଇଁ ନିୟୋଜିତ NHAIର ପ୍ରମୁଖ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ପ୍ରଥମେ ଅସ୍ଥାୟୀ ମରାମତି କରି ଗାଡ଼ି ଚଳାଚଳ ବ୍ୟବସ୍ଥା ହେବ । ଏଠି ଏପରି ଭୂସ୍ଖଳନ କେବେ ହୋଇ ନ ଥିଲା । ସ୍ଥିତି ଦେଖିଲା ପରେ ଉତ୍ତରାଖଣ୍ଡ ଭୂସ୍ଖଳନ ଭଳି ଲାଗୁଛି ବୋଲି କହିଛନ୍ତି NHAIର ପ୍ରମୁଖ ଅଧିକାରୀ ।
ସୂଚନା ଅନୁସାରେ, ଗତକାଲି ପ୍ରବଳ ବର୍ଷା କାରଣରୁ କଳିଙ୍ଗା ଘାଟିରେ ବଡ ଧରଣର ଭୂସ୍ଖଳନ ହୋଇଥିଲା । ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା । ପାହାଡ଼ରୁ ମାଟି ଓ ବଡ଼ ବଡ଼ ପଥର ଧସି ରାସ୍ତାରେ ପଡ଼ିଥିଲା । ଫଳରେ କନ୍ଧମାଳ ଗଞ୍ଜାମ ଜିଲ୍ଲାକୁ ଯୋଗାଯୋଗ ବିଛିନ୍ନ ହେବା ସହ ବିଜୟୱାଡା-ରାଞ୍ଚି କରିଡରରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା । ଖବର ପାଇ ଘଟଣା ସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ସେହି ରାସ୍ତା ଦେଇ ନଯିବା ପାଇଁ ଅପିଲ କରିବା ସହ ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳ ସମ୍ପୁର୍ଣ୍ଣ ଭାବରେ ବନ୍ଦ କରିଥିଲା ପ୍ରଶାସନ । ବିପଦ ଆଶଙ୍କା କରି କଳିଙ୍ଗା ଓ ଦୁର୍ଗାପ୍ରସାଦ ଠାରେ ପ୍ରବେଶ ପଥ ବନ୍ଦ କରିଥିଲା । ନାକାବନ୍ଦୀ କରି ପ୍ରବେଶ ପଥରେ ଜଗି ରହିଥିଲା ପୋଲିସ ।