ଆଉ ନାହାନ୍ତି କାକଟପୁର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେନ୍ଦ୍ର ନାଥ ନାୟକ

କାକଟପୁର: ଆଉ ନାହାନ୍ତି କାକଟପୁର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେନ୍ଦ୍ର ନାଥ ନାୟକ।  ୯୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ସୁରେନ୍ଦ୍ର। କାକଟପୁର ରାଜନୀତିରେ ଜଣେ ଲୋକପ୍ରିୟ ରାଜନେତା ଭାବେ ବେଶ୍‌ ପରିଚିତ ଥିଲେ ସୁରେନ୍ଦ୍ର। ତେବେ କାକଟପୁରରୁ ସେ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

କାକଟପୁର ରାଜନୀତିରେ ସେ ଥିଲେ ଜଣେ ଟାଣୁଆ ରାଜନେତା। ସରପଞ୍ଚ ଭାବେ ରାଜନୀତି ମୈଦାନକୁ ଓହ୍ଲାଇଥିବା ସୁରେନ୍ଦ୍ର ଶିକ୍ଷା, ସ୍ୱାସ୍ଥ୍ୟ, ରାଜସ୍ୱ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସୁଚାରୂରୂପେ ତୁଲାଇଥିଲେ। ୧୯୭୭ ମସିହାରେ ସେ ବିଧାନସଭାରେ ଉପବାଚସ୍ପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ପରେ ସେ ୨୦୦୦ ମସିହାରେ ପଂଚାୟତିରାଜ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିବା ବେଳେ ୨୦୦୨ରେ ସେ ଗଣଶିକ୍ଷା ଓ ୨୦୦୪ରେ କୃଷି ବିଭାଗର ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ବିଭିନ୍ନ ସମୟରେ ପଦବୀରେ ଥାଇ ସେ ଜନସ୍ୱାର୍ଥ କାମ କରି ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଆଜି ୯୩ ବର୍ଷ ବୟସରେ ରାଜଧାନୀସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ଏଭଳି ଜଣେ ଧୂରୀଣ ରାଜନେତାଙ୍କୁ ହରାଇ ରାଜ୍ୟ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି।