କଟକ : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର | ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଅଗଷ୍ଟରେ ଅବସର ନେବେ । ଏଣୁ ସୁପ୍ରିମକୋର୍ଟ କଲେଜିୟମ୍ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିସ କରିଛନ୍ତି। ଜଷ୍ଟିସ୍ ତାଳପତ୍ର ଏବେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି। ଜୁନ ୧୦ ତାରିଖ ୨୦୨୨ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇାକୋର୍ଟରେ ବିଚାରପତି ଅଛନ୍ତି । ପୂର୍ବରୁ ତ୍ରିପୁରା ହାଇକୋର୍ଟରୁ ଜଷ୍ଟିସ ଶୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧, ଅକ୍ଟୋବର ୪ ରେ ତ୍ରିପୁରାର ଉଦୟପୁରରେ ଜନ୍ମଗ୍ରହଣ କରିଥିଲେ ।
ସେ କଲିକତା ବିଶ୍ବବିଦ୍ୟାଳୟରୁ ଆଇନ୍ରେ ସ୍ନାତକ ହୋଇଥିଲେ। ସେ ବିଭିନ୍ନ ସମୟରେ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର କାଉନସିଲର ସଦସ୍ୟ ଥିଲେ। ସେ ମୁଖ୍ୟତଃ ଗୁଆହାଟୀ ହାଇକୋର୍ଟର ଅଗରତଲା ବେଞ୍ଚରୁ ଆଇନ୍ର ବ୍ୟବସାୟ କରିଥିଲେ। ୨୦୦୪ ମସିହା ଡିସେମ୍ବର ୨୧ ପରଠାରୁ ବରିଷ୍ଠ ଆଇନଜୀବୀ ଭାବେ ଦେୱାନୀ ଓ ଫୌଜଦାରୀ ମାମଲା ଗୁଡ଼ିକର ପରିଚାଳଚା କରିଥିଲେ। ୨୦୧୧ ମସିହା ନଭେମ୍ବର ୧୫ରେ ଗୁଆହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ୨୦୨୨ ଜୁନ୍ ୧୦ ତାରିଖରେ ଦାୟିତ୍ବ ନେଇଥିଲେ।