ଝାରସୁଗୁଡ଼ା: ଝାରସୁଗୁଡ଼ାରେ ତାପମାତ୍ରା ରେକର୍ଡ ସ୍ତରକୁ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଏଠାରେ ସର୍ବାଧିକ ୩୯.୬ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ ହୋଇଛି, ଯାହା ଏକ ନୂଆ ରେକର୍ଡ। ଏହା ସହ ଝାରସୁଗୁଡ଼ା ଦେଶର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ଭାବେ ପରିଣତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ରାଜ୍ୟରେ ଆସନ୍ତା ୫ ଦିନ ମଧ୍ୟରେ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। ତେବେ ଗରମ ଅବସ୍ଥା ଜାରି ରହିବ।
୮ ତାରିଖ ବେଳକୁ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବିଜୁଳି ଘଡଘଡି ସହ ବର୍ଷା ହେବାର ଆଶଙ୍କା ରହିଛି। ୮ ତାରିଖ ପାଇଁ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ ଓ ଝାରସୁଗୁଡ଼ାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ସେହିପରି ୯ ତାରିଖରେ ବରଗଡ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର, କଟକ, ଯାଜପୁର, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ଵର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡି ସମ୍ଭାବନା ରହିଛି। ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଲୋକମାନଙ୍କୁ ଗରମରୁ ସତର୍କ ରହିବା ସହ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।