ଜମ୍ମୁ ବର୍ଡରେ ଜାରି ଆତଙ୍କୀ ଆକ୍ରମଣ ଆଶଙ୍କାକୁ ନେଇ ଆଲର୍ଟରେ ସେନା । ଜମ୍ମୁରେ ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି କଡାକଡି । ସ୍ଥିତି ଏମିତି ହୋଇଛି କି ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ସମସ୍ତ ଆର୍ମୀ ସ୍କୁଲକୁ ଛୁଟି କରି ଦିଆଯାଇଛି । ପଠାନକୋଟରେ ୭ ଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିବା ପରେ ସେନା ପକ୍ଷରୁ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯାଇଛି । ଏଥିସହ ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ପଞ୍ଜାବର ପଠାନକୋଟ ଜିଲ୍ଲାରେ ଜଣେ ମହିଳା ୭ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଥିବା ସେନାକୁ ସୂଚନା ଦେଇଥିଲେ । ଏହା ପରେ ସେନା ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଞ୍ଚଳରେ ଥିବା ସମସ୍ତ ଆର୍ମୀ ସ୍କୁଲକୁ ବନ୍ଦ ରଖିବାକୁ କୁହାଯାଇଛି । ଜଣେ ସନ୍ଦିଗ୍ଧର ସ୍କେଚ ଜାରି କରି ପୋଲିସ ଲୋକଙ୍କୁ ସତର୍କ ରହିବାକୁ ଅପିଲ କରିଛି । ଅନ୍ୟପଟେ ଶସ୍ତ୍ର ବଳ ପକ୍ଷରୁ ଦୁଇଜଣଙ୍କୁ ଗିରଫ କରାଯାଇଛି । ଏହି ଦୁଇଜଣ ଆତଙ୍କୀଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସହଯୋଗ କରୁଥିଲେ ।
ଆଗକୁ ସ୍ୱାଧୀନତା ଦିବସ ଆସୁଛି । ଏହି ସମୟରେ ପଡୋଶୀ ଦେଶ ଆମ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରିପାରେ । ତେଣୁ ସେନା ଆଲର୍ଟରେ ରହିଥିବା ବେଳେ ଗୁରୁବାର ରାତିରେ ଫଙ୍ଗତୋଲି ଗାଁର ଜନୈକ ବ୍ୟକ୍ତିଙ୍କ ଘର ପାଚେରୀ ଡେଇଁ କିଛି ସନ୍ଦିଗ୍ଧ ବ୍ୟକ୍ତି ପ୍ରବେଶ କରିବା ସହ ତାଙ୍କୁ ଖାଇବାକୁ ମାଗିଥିଲେ । ତେବେ ଘରେ ଥିବା ଲୋକେ କବାଟ ଖୋଲି ନ ଥିଲେ । ଏହା ପରେ ଏହି ପରିବାର ସନ୍ଦିଗ୍ଧ ବୟକ୍ତିଙ୍କୁ ନେଇ ପୋଲିସକୁ ସୂଚିତ କରିଥିଲେ ।