(ଦିଲ୍ଲୀପ ସାହୁ): ସରକାର ନାରୀମାନଙ୍କ ପାଇଁ ସୁରକ୍ଷା ଓ ସଶସ୍ତ୍ରୀକରଣ ଯୋଜନାମାନ କରୁଛନ୍ତି । ତଥାପି ନାରୀଙ୍କୁ ସୁରକ୍ଷା ଯୋଗାଇଦେବାରରେ ବିଫଳ ହେଉଛନ୍ତି । ମହିଳା ଘର ବାହାରେ ଯେ କେବଳ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି ତା ନୁହେଁ । ମହିଳା ନିଜ ଘର ଭିତରେ ମଧ୍ୟ ସୁରକ୍ଷିତ ନୁହଁନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ହଂସୁରା ପଞ୍ଚାୟତ ଖୋସାଲପୁର ଗ୍ରାମରେ । ଗତ ୩୦ତାରିଖରେ ଖୁଦୁରୁକୁଣୀ ଭଷାଣୀ ଉତ୍ସବ ସମୟରେ ଜନ ପ୍ରତିନିଧି ସ୍ୱାମୀଙ୍କ ସହ ଆଉକିଛି ବ୍ୟକ୍ତି ସଂଘବଦ୍ଧ ଭାବେ କବାଟ ଭାଙ୍ଗି ଗୀତାଞ୍ଜଳି ବାରିକଙ୍କ ଘରେ ପଶିଥିଲେ । ଅଶିଳ ଭାଷାରେ ଗାଳିଗୁଲଜ କରିବା ସହ ଗୀତାଞ୍ଜଳୀଙ୍କୁ ଚାପୁଡ଼ା ଗୋଇଠା ମାରିବା ସହ ଘରେ ଥିବା ଅନ୍ୟ ମହିଳାମାନଙ୍କୁ ଆକ୍ରମଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତେବେ ମାଡଗୋଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡିଓରେ ଦୈନିକ ପ୍ରତିନିଧିଙ୍କ ସ୍ୱାମୀ ପ୍ରମୋଦ ସ୍ବାଇଁ ଏଭଳି କାଣ୍ଡ ଘଟାଇଥିବାର ଦେଖିବାକୁ ମିଳିଛି । ତେବେ ଗତ ୩୦ତାରିଖରେ କୁଜଙ୍ଗରେ ଆୟୋଜନ କରାଯାଇଥିବା ମହିଳା ମହାସମାବେଷରେ ଯୋଗଦେବାକୁ ଦୈନିକ ପ୍ରତିନିଧିଙ୍କ ତରଫରୁ ଡକାଯାଇଥିବାବେଳେ ଗୀତାଞ୍ଜଳିଙ୍କ ପରିବାର ମଧ୍ୟରୁ ସେହି ସଭାରେ କେହି ଯୋଗ ଦେଇନଥିବାରୁ ଏହା ଏକ ରାଜନୈତିକ ତିକ୍ତତା କାରଣରୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଦୈନିକ ପ୍ରତିନିଧିଙ୍କ ସ୍ଵାମୀଙ୍କର ଗୁଣ୍ଡା ରାଜ ସେତିକିରେ ସରିଯାଇନି । ଖୋସାଲପୁର ଅଂଚଳରେ ଥିବା ଏକ ଔଷଧ ଦୋକାନୀଙ୍କ ସହ ମଦ ପିଇ ବଚସା କରି ତାଙ୍କୁ ଆକ୍ରମଣ କରିଥିଲେ । ଏହାକୁ ନେଇ ଦୋକାନୀ ଜଣଙ୍କ କୁଜଙ୍ଗ ଥାନାରେ ଏତଲା ଦେଇଥିବା ପ୍ରକାଶ କରିଛନ୍ତି । ମହିଳାଙ୍କ ପକ୍ଷରୁ ଦୈନିକ ପ୍ରତିନିଧିଙ୍କ ସ୍ଵାମୀ ପ୍ରମୋଦ ସ୍ବାଇଁ ଓ ତାଙ୍କ ସହଯୋଗୀଙ୍କ ନାମରେ ଏତଲା ଦିଆଯାଇଥିବାବେଳେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯାଇ ଆସାମି ପ୍ରତି ଖୁବ୍ ଶୀଘ୍ର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଜଙ୍ଗ ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।