ସରପଞ୍ଚଙ୍କ ନାମରେ ମହିଳା ଆଣିଲେ ସାଙ୍ଘାତିକ ଅଭିଯୋଗ
ଦିଲ୍ଲିପ୍ ସାହୁ (ଜଗତସିଂହପୁର) : ସରପଞ୍ଚଙ୍କୁ ମିଥ୍ୟା ମାମଲାରେ ଫସାଇବା ପାଇଁ ଚାଲିଛି ଷଡ଼ଯନ୍ତ୍ର । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠକୋଟ ପଞ୍ଚାୟତର ବାସିନ୍ଦା । ଜନୈକା ମହିଳାଙ୍କ ଚକ୍ରାନ୍ତର ଜାଲରେ ଫସିଯାଇଛନ୍ତି ସ୍ଥାନୀୟ ସରପଞ୍ଚ ।
ପାରିବାରିକ କଳହକୁ କେନ୍ଦ୍ର କରି ମିଥ୍ୟା ମାମଲାରେ ନିଜର ପରିବାର ଲୋକଙ୍କୁ ଫସାଇବା ପାଇଁ ଜନୈକା ମହିଳା ସ୍ଥାନୀୟ ସରପଞ୍ଚଙ୍କ ସହାୟତା ଲୋଡି ଥିଲେ । ମାତ୍ର ସରପଞ୍ଚ ଉଭୟ ପକ୍ଷଙ୍କ ମଧ୍ୟରେ ହୋଇଥିବା ଗଣ୍ଡୋଗୋଳର ଆପୋଷ ସମାଧାନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ସରପଞ୍ଚଙ୍କ ଏହି ପ୍ରସ୍ତାବରେ ରାଜି ନହୋଇ ବିରୋଧୀ ଦଳ ସହ ମିଶି ସରପଞ୍ଚଙ୍କୁ ଧମକ ଦଇଥିଲେ ମହିଳା । ଥାନାରେ ନିଜ ଦେଢଶୁର,ଶ୍ୱଶୁର, ଦିଅର ଙ୍କ ସହିତ ସରପଞ୍ଚଙ୍କ ନାମରେ ମଧ୍ୟ ବଳାତ୍କାର ଭଳି ସଙ୍ଗିନ ଅଭିଯୋଗ କରିବା ନେଇ ମହିଳା ଜଣକ ଧମକ ଦେଇଥିଲେ । ଏହା ପରେ ସରପଞ୍ଚ ମିହିର ରଂଜନ ପଟ୍ଟନାୟକଙ୍କ ସହିତ ହୋଇଥିବା ତାଙ୍କର ବାର୍ତ୍ତାଳାପକୁ ରେକର୍ଡ କରି ଏକ ୱେବ ମିଡିଆ ଦ୍ୱାରା ବଦନାମ କରିବାକୁ ଉଦ୍ୟମ କରିଥିଲେ ।
ତେବେ ଏଭଳି ମିଥ୍ୟା ଖବର ପ୍ରସାରଣ ହେବା ପରେ ସରପଞ୍ଚ ବିଚଳିତ ହୋଇ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ମତାମତ ପ୍ରକାଶ କରିଛନ୍ତି । ମହିଳାଙ୍କ ସ୍ୱାମୀ ଘରେ ନଥିବା ବେଳେ ମହିଳା ଜଣଙ୍କ ନିଜର ଦୂର ସମ୍ପର୍କୀୟ ଧରମ ଭାଇଙ୍କ ସହ ମିଳାମିଶାକୁ ସମସ୍ତେ ବିରୋଧ କରିବାରୁ ଏଭଳି ଏକ ପରିସ୍ଥିତି ସୃଷ୍ଟିହୋଇଛି ବୋଲି କହିଛନ୍ତି ସରପଞ୍ଚ । କେବଳ ସେତିକି ନୁହେଁ ମହିଳା ଜଣଙ୍କ ନାଁରେ ଆଗରୁ ମଧ୍ୟ ଏପରି ଘଟଣା ସାମନାକୁ ଆସିଛି । ଘରୋଇ ବ୍ୟାଙ୍କରୁ ଅର୍ଥ ଆଣି ଶୁଝି ନପାରୁଥିବା ବେଳେ ଅର୍ଥ ଆଦାୟ କରିବାକୁ ଆସିଥିବା ବ୍ୟାଙ୍କ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ଚପଲରେ ମାରିବା କଥା କହିଥିବା ଜଣାଯାଇଛି । ଏ ନେଇ ବ୍ୟାଙ୍କ କର୍ମଚାରୀ ସରପଞ୍ଚଙ୍କୁ ଜଣାଇବା ପରେ ବ୍ୟାଙ୍କ କିଛି ମାତ୍ରାରେ ଅର୍ଥ ଫେରସ୍ତ ପାଇଥିଲେ ।
ନାରୀ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଆଖି ଆଗରେ ରଖି ରାଜ୍ୟ ସରକାର ନାରୀ ସୁରକ୍ଷା ଆଇନ ଲାଗୁ କରିବା ପରେ ଏହାର ସୁଯୋଗ ନେଇ କିଛି ମହିଳା ଏହି ଆଇନକୁ ନିଜର ମନ୍ଦ ଉଦ୍ଦେଶ୍ୟ ସାବ୍ୟସ୍ତ କରିବାରେ ବ୍ୟବହାର କରୁଛନ୍ତି ବୋଲି ପଞ୍ଚାୟତ ବାସି ନିଜର ମତ ପ୍ରକାଶ କରିଛନ୍ତି । ତେବେ ଏହି ଘଟଣାରେ ସରପଞ୍ଚଙ୍କ ନାମରେ ହୋଇଥିବା ମିଥ୍ୟା ମାମଲାର ନିରପେକ୍ଷ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯାଉ ବୋଲି ପଞ୍ଚାୟତ ବାସିମାନେ ଦାବି କରିଛନ୍ତି ।