ନୂଆଦିଲ୍ଲୀ-: ସୋମବାର ଇତିହାସ ରଚି ଇସ୍ରୋ ମହାକାଶ କ୍ଷେତ୍ରରେ ଆଉ ଏକ ଉପଲବ୍ଧି ହାସଲ କରିଛି । ଇସ୍ରୋ ୨ଟି ଉପଗ୍ରହକୁ ସଲଗ୍ନ କରିବା(ସ୍ପେଡେକ୍ସ) ମିଶନରେ ଦ୍ବିତୀୟ ଥର ଉପଗ୍ରହର ଡକିଂ ସଫଳତାପୂର୍ବକ ପୁରା କରିଛି ।
ଏକ ମହାକାଶ ମିଶନକୁ ସଫଳ କରିବା ପାଇଁ ରକେଟ କିମ୍ବା ମହାକାଶକୁ ପଠାଯାଇଥିବା କୌଣସି ଯାନକୁ ମହାକାଶରେ ‘ଡକିଂ’ର ଆବଶ୍ୟକତା ପଡିଥାଏ । ଏହି କୌଶଳରେ ୨ବା ଉର୍ଦ୍ଧ୍ବ ମହାକାଶ ଯାନକୁ ଏକାଠି ଯୋଡି ବା କକ୍ଷରେ ଏକାଠି ବଡ ଷ୍ଟ୍ରକ୍ଚର ନିର୍ମାଣ ଓ ସାମଗ୍ରୀର ନେବା ଆଣିବାରେ ବ୍ୟବହାର କରାଯାଏ । ଏହି କୌଶଳ ଫଳରେ ନିଜର ମହାକାଶ ଷ୍ଟେସନ ନିର୍ମାଣ ଏବଂ ଚନ୍ଦ୍ରଯାନ-୪ ଅଭିଯାନର ସଞ୍ଚାଳନ କରିବାରେ ସାହାଯ୍ୟ ମିଳିବ ।
ଇସ୍ରୋ ଗତ ବର୍ଷ ୩୦ ଡିସେମ୍ବରେ ସ୍ପେଡେକ୍ସ ମିଶନ ଆରମ୍ଭ କରିଥିଲା ଏବଂ ମହାକାଶରେ ଡକିଂ ସମ୍ପର୍କିତ ପରୀକ୍ଷଣ ପାଇଁ ୨ଟି ଉପଗ୍ରହ ଏସଡିଏକ୍ସ୦୧ ଓ ଏସଡିଏକ୍ସ୦୨କୁ କକ୍ଷରେ ସ୍ଥାପନ କରାଯାଇଥିଲା । ମନ୍ତ୍ରୀ ସିଂହ କହିଛନ୍ତି କି ପିଏସଏଲଭି-ସି୬୦/ ସ୍ପେଡେକ୍ସ ମିଶନକୁ ୩୦ ଡିସେମ୍ବର ୨୦୨୪କୁ ସଫଳତାପୂର୍ବକ ଆରମ୍ଭ କରାଯାଇଥିଲା । ଏହା ପରେ ଉପଗ୍ରହକୁ ପ୍ରଥମ ଥର ୧୬ ଜାନୁୟାରୀ ୨୦୨୫ରେ ସକାଳ ୬ଟା ୨୦ ମିନିଟରେ ଡକ୍ ଓ ୧୩ ମାର୍ଚ୍ଚ ୨୦୨୫ରେ ସକାଳ ୯ଟା ୨୦ ମିନିଟରେ ସଫଳତା ପୂର୍ବକ ଅନଡକ୍(ଉପଗ୍ରହକୁ ଅଲଗା କରିବାର ପ୍ରକ୍ରିୟା) କରାଯାଇଥିଲା । ଆମେରିକା, ଋଷ୍ ଓ ଚୀନ୍ ପରେ ଭାରତ ମହାକାଶରେ ଡକିଂ ସମ୍ପର୍କିତ ପରୀକ୍ଷା କରିଥିବା ଚତୁର୍ଥ ଦେଶ ପାଲଟିଯାଇଛି ।