ଅନ୍ତିମ ଟି ଟ୍ବେଣ୍ଟି: ଭାରତର ୨୭୧ ରନ୍‌ର ବିଶାଳ ସ୍କୋର

କେରଳ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପଞ୍ଚମ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ୍‌ ହାରାଇ ୨୭୧ ରନ୍‌ ସଂଗ୍ରହ କରିଛି। ଏହା ଟି-୨୦ ଆନ୍ତର୍ଜାତୀୟରେ ଭାରତର ତୃତୀୟ ସର୍ବାଧିକ ସ୍କୋର। ଭାରତ ପକ୍ଷରୁ ଇଶାନ କିଶନ ଧୂଆଁଧାର ବ୍ୟାଟିଂ କରି କେବଳ ୪୨ ବଲରେ ଶତକ ହାସଲ କରିଥିଲେ। ସେ ୪୩ ବଲରେ ୧୦୩ ରନ୍ କରିଥିବା ବେଳେ ୧୦ଟି ଛକା ଓ ୬ଟି ଚଉକା ମାରିଥିଲେ।

କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ୩୦ ବଲରେ ୬୩ ରନ୍ ଏବଂ ହାର୍ଦିକ ପାଣ୍ଡ୍ୟା ୧୭ ବଲରେ ୪୨ ରନ୍ କରି ନ୍ୟୁଜିଲାଣ୍ଡ ବୋଲରମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିଲେ। ଭାରତୀୟ ଦଳ ସମୁଦାୟ ୨୩ଟି ଛକା ଓ ୧୭ଟି ଚଉକା ମାରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ତିନିଜଣ ବୋଲର ୫୦ରୁ ଅଧିକ ରନ୍ ଖର୍ଚ୍ଚ କରିଥିଲେ। କ୍ୟାପଟେନ୍ ମିଚେଲ୍ ସାଣ୍ଟନର ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇ ୪ ଓଭରରେ ୬୦ ରନ୍ ଦେଇଥିଲେ।

ଏହି ମ୍ୟାଚ୍‌ଟି ତିରୁଵନନ୍ତପୁରମ୍‌ର ଗ୍ରୀନଫିଲ୍ଡ ଷ୍ଟାଡିୟମ୍‌ରେ ଖେଳାଯାଉଛି, ଯାହା ସଞ୍ଜୁ ସାମସନଙ୍କ ହୋମ୍‌ଗ୍ରାଉଣ୍ଡ। କିନ୍ତୁ ସେ ଏଠାରେ ମଧ୍ୟ ଫେଲ୍‌ ହୋଇ ୬ ବଲରେ ୬ ରନ୍ କରି ଆଉଟ୍‌ ହୋଇଥିଲେ। ଅଭିଷେକ ଶର୍ମା ୧୬ ବଲରେ ୩୦ ରନ୍ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୯ ଓଭର ପରେ ଭାରତର ସ୍କୋର ୮୨/୨ ଥିଲା। ସେତେବେଳେ ୨୦୦ ରନ୍‌ ମଧ୍ୟ ଦୂର ଲାଗୁଥିଲା, କିନ୍ତୁ ଶେଷ ୧୧ ଓଭରରେ ୧୮୮ ରନ୍ କରି ଟିମ୍‌ ଇଣ୍ଡିଆ ଇତିହାସ ଗଢ଼ିଥିଲା।