ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ, BSKY ସଂକ୍ରାନ୍ତରେ ସଚେତନ କର

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଚେତନତା କାର୍ଯ୍ୟକୁ ଜୋରଦାର ପାଇଁ ନିର୍ଦ୍ଦେଶ। ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସେଲ୍‍ କାର୍ଯ୍ୟର ସମୀକ୍ଷା କରିବା ଅବସରରେ କର୍ତ୍ତୃପକ୍ଷଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। କିଛି ଦିନ ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ବଡ ଘୋଟାଲା ପଦାକୁ ଆସିଛି। ଏହି ବଡ଼ ଜାଲିଆତି ଘଟଣା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାଲିକାରୁ ବାଦ ପଡିଛି କଟକର ସାଉଥ ପଏଣ୍ଟ ହସ୍ପିଟାଲ । ସାଉଥ ପଏଣ୍ଟ ହସ୍ପିଟାଲର ମାଲିକ ସମେତ 5 ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଘଟଣାକୁ ଗୁରୁତ୍ୱର ସହ ନେବା ସହ ତତ୍ପର ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଆଗାମୀ ଦିନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଚେତନତା କାର୍ଯ୍ୟକୁ ଜୋରଦାର ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।


ଏନେଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ଲୋକଙ୍କଠାରୁ ମିଳିଥିବା ମତାମତ ଆଧାରରେ ମୋ ସରକାର ବ୍ୟବସ୍ଥାରେ ଶତ ପ୍ରତିଶତ ଅନୁପାଳନ ନିଶ୍ଚିତ କରିବାକୁ କୁହାଯାଇଥିଲା । ଏଥିପାଇଁ ଟୋଲ୍ ଫ୍ରି ନମ୍ବର 104 (କଲ୍ ସେଣ୍ଟର୍‌) ଏବଂ 155369 (କାର୍ଡ ସମ୍ବନ୍ଧୀୟ) ମାଧ୍ୟମରେ ଗ୍ରହଣ କରାଯାଇଥିବା ଅଭିଯୋଗର ସମାଧାନ ପାଇଁ ଗୁରୁତ୍ୱାରୋପ କରିଛନ୍ତି । ସୋସିଆଲ ମିଡିଆ ସମେତ ବିଭିନ୍ନ ୱିଣ୍ଡୋ ମାଧ୍ୟମରେ ଗ୍ରହଣ କରାଯାଇଥିବା ୯୫ ପ୍ରତିଶତରୁ ଅଧିକ ଅଭିଯୋଗ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୈଠକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଦର୍ଶନ ଅନୁଯାୟୀ ରାଜ୍ୟ ଭିତରେ ଓ ବାହାରେ ଥିବା ଡାକ୍ତରଖାନାଗୁଡ଼ିକର ରାଙ୍କିଙ୍ଗ୍ ଏବଂ ମାନଦଣ୍ଡ ଉପରେ ବିଚାରବିମର୍ଶ କରାଯାଇଛି । ଅନ୍ୟ ସେବା-କୈନ୍ଦ୍ରିକ ସହଯୋଗୀ ମାନଦଣ୍ଡ ସହିତ ରାକିଂର ମୁଖ୍ୟ ମାନଦଣ୍ଡ ଭାବରେ ରୋଗୀଙ୍କ ସନ୍ତୁଷ୍ଟି ସ୍ତରକୁ ନେବାକୁ ନିଷ୍ପତ୍ତି ନିଆଯାଇଛି ।


ରୋଗୀମାନଙ୍କ ସୁବିଧା ପାଇଁ ଡାକ୍ତରଖାନାର ପ୍ରମୁଖ ସ୍ଥାନରେ ସୂଚନା ଚିହ୍ନ ଲଗାଇବା ଉପରେ ସଚିବ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଇଣ୍ଟରନେଟ୍ ସଂଯୋଗର ଗତି, ଓସୱାସ କାର୍ଯ୍ୟକ୍ଷମତା, ମାନବ ସମ୍ବଳକୁ ମଜବୁତ କରିବା ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଫ୍ଟୱେୟାରର ଉନ୍ନତି ସମ୍ବନ୍ଧୀୟ କାର୍ଯ୍ୟକାରିତା ଉପରେ ଆଲୋଚନା କରାଯାଇଛି । ସମସ୍ୟାର ସମାଧାନ ସହିତ ବିଭିନ୍ନ କାର୍ଯ୍ୟ ସମାପ୍ତ କରିବା ପାଇଁ ସମୟ ସୀମା ସ୍ଥିର ହୋଇଛି । ଏହି ସମୀକ୍ଷା ବୈଠକରେ ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ ବୃନ୍ଦା ଡି, ଯୁଗ୍ମ ସିଇଓ ଶୁଭାନନ୍ଦ ମହାପାତ୍ର, ବିଭିନ୍ନ ତାଲିକାଭୁକ୍ତ ହସ୍ପିଟାଲର ଦାୟିତ୍ୱରେ ଥିବା ନୋଡାଲ୍ ଅଧିକାରୀ ଓ ବରିଷ୍ଠ ଅଧଫିସରମାନେ ଉପସ୍ଥିତ ରହିଛନ୍ତି ।