ଅନ୍ୟ ଦେଶରେ ସଂକ୍ରମଣ ବଢୁଛି, ଆମ ଦେଶରେ ବି କିଛି ସ୍ଥାନରେ ସଂକ୍ରମଣ ବଢ଼ିବା ଆରମ୍ଭ କରୁଛି:ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର: ଚୀନରେ ବଢୁଛି କରୋନା ସଂକ୍ରମଣ । ତେବେ ଓମିକ୍ରନର ସବ୍ ଭ୍ୟାରିଆଂଟ ବିଏଫ ଡଟ ସେଭେନକୁ ସାରା ବିଶ୍ୱରେ ଏବେ ଭୟର ବାତାବରଣ ଦେଖାଦେଇଛି । ସେପଟେ ଓମିକ୍ରନର ନୂଆ ସବଭ୍ୟାରିଆଂଟ ଏକ୍ସବିବିକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ଦେଶରେ କରୋନାର ନୂଆ ପ୍ରଜାତି ଏକ୍ସବିବି ପଏଂଟ ୧ ପଏଂଟ ୫ ଚିହ୍ନଟ ହେବା ପରେ ସତର୍କ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୩୦ରୁ ୪୫ ଦିନ ପର୍ୟ୍ୟନ୍ତ ଅତ୍ୟନ୍ତ ସତର୍କ ରହିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲୋକଙ୍କୁ ଅପିଲ କରିଛି । ସେପଟେ ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଅନ୍ୟ ଦେଶରେ ସଂକ୍ରମଣ ବଢୁଛି । ଆମ ଦେଶରେ ବି କିଛି ସ୍ଥାନରେ ସଂକ୍ରମଣ ବଢ଼ିବା ଆରମ୍ଭ କରୁଛି । ତେଣୁ ଆମର ବି ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । ଏଠି ସଂକ୍ରମଣ ବଢ଼ିବନି ବୋଲି କହିବା ଭୁଲ ହେବ । ତେଣୁ ତାକୁ ଫାଇଟ କରିବା ପାଇଁ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ । ଯାହା ପରାମର୍ଶ ଦିଆଯାଇଛି ତାକୁ ମାନିକି ଚଳିବାକୁ ହେବ । ସରକାରଙ୍କ ପକ୍ଷରୁ ସର୍ଭିଲାନ୍ସ ଜାରି ରହିଛି, ହସ୍ପିଟାଲରେ ବେଡ଼କୁ ପ୍ରସ୍ତୁତ କରି ରଖାଯାଇଛି । ଦରକାର ପଡ଼ିଲେ ବେଡ଼ ସଂଖ୍ୟାକୁ ବଢ଼ାଯିବ । ଟେଷ୍ଟିଂର ବ୍ୟବସ୍ଥା କରାଯାଇଛି । ସରକାର ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।