ଗୁଜୁରାଟ: ଅହମଦାବାଦରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍ ଫାଇନାଲରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ଅସାଧାରଣ ପ୍ରଦର୍ଶନ କରି ଦେଶର କୋଟିକୋଟି କ୍ରୀଡାପ୍ରେମୀଙ୍କ ହୃଦୟ ଜିତିଛି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ଯୁବ ଭାରତୀୟ ଖେଳାଳିମାନଙ୍କ ଖେଳ ଦେଖି ଉତ୍ସାହିତ ହୋଇଥିବାବେଳେ ଜମ୍ମୁ କଶ୍ମୀରରୁ କନ୍ୟାକୁମାରୀ ଓ ମଣିପୁରରୁ ରାଜସ୍ଥାନ ପର୍ଯ୍ୟନ୍ତ ଗାଁ ଓ ସହର ସବୁଠାରେ ଲୋକମାନେ ଗର୍ବ ଅନୁଭବ କରିଛନ୍ତି। ରବିବାର ରାତିରେ ଭାରତର ବିଜୟ ପରେ ଦେଶର ବିଭିନ୍ନ ସହରରେ ଲୋକମାନେ ଦୀପାବଳି ଭଳି ଉତ୍ସବ ପାଳନ କରିଥିଲେ। ବାଣ ଓ ଫୋଟକାର ଶବ୍ଦରେ ସହରଗୁଡିକ ଗୁଞ୍ଜିଉଠିଥିଲା। କେବଳ ଦେଶରେ ନୁହେଁ, ବିଦେଶରେ ରହୁଥିବା ଭାରତୀୟମାନେ ମଧ୍ୟ ଏହି ବିଜୟକୁ ଉତ୍ସାହର ସହ ପାଳନ କରିଥିଲେ।

ଏହି ବିଜୟ ସହ ଭାରତ ଟି୨୦ ବିଶ୍ୱକପ୍ରେ କ୍ରମାଗତ ଦ୍ବିତୀୟଥର ଚାମ୍ପିଅନ ହୋଇଛି। ଏହା ପୂର୍ବରୁ ଭାରତ ୨୦୨୪ ମସିହାରେ ମଧ୍ୟ ଟି୨୦ ବିଶ୍ୱକପ୍ ଜିତିଥିଲା। ଏଥର ମଧ୍ୟ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଟ୍ରଫି ଜିତିଛି। ଏହି ମ୍ୟାଚରେ ସଞ୍ଜୁ ସାମସନ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଅଭିଷେକ ଶର୍ମା ଓ ଈଶାନ କିଶନ ଭାରତର ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୫୫ ରନ୍ ସଂଗ୍ରହ କରିଥିଲା। ଏତେ ବଡ଼ ସ୍କୋର ନ୍ୟୁଜିଲାଣ୍ଡ ପାଇଁ ଚାପ ସୃଷ୍ଟି କରିଥିଲା। ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନ୍ୟୁଜିଲାଣ୍ଡ ନିଷ୍ପତ୍ତି ନେଇଥିଲା ଏବଂ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

ଭାରତ ପକ୍ଷରୁ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଇନିଂସ ଆରମ୍ଭ କରିଥିଲେ ଏବଂ ପ୍ରଥମ ୱିକେଟ୍ ପାଇଁ ୯୮ ରନ୍ର ଦୃଢ଼ ଭାଗିଦାରୀ ଗଢ଼ିଥିଲେ। ଅଭିଷେକ ଶର୍ମା ୨୧ଟି ବଲ୍ରେ ୫୨ ରନ୍ କରିଥିବାବେଳେ ୬ଟି ଚୌକା ଓ ୩ଟି ଛକା ମାରିଥିଲେ। ସଞ୍ଜୁ ସାମସନ ମଧ୍ୟ ଦୃଢ଼ ବ୍ୟାଟିଂ କରି ୪୫ଟି ବଲ୍ରେ ୮୯ ରନ୍ ସଂଗ୍ରହ କରିଥିଲେ, ଯାହାରେ ୫ଟି ଚୌକା ଓ ୮ଟି ଛକା ଥିଲା। ପରେ ସଞ୍ଜୁ ସାମସନ ଓ ଈଶାନ କିଶନଙ୍କ ମଧ୍ୟରେ ଦ୍ବିତୀୟ ୱିକେଟ୍ ପାଇଁ ୧୦୫ ରନ୍ର ଭାଗିଦାରୀ ହୋଇଥିଲା। ଈଶାନ କିଶନ ୨୫ଟି ବଲ୍ରେ ୫୪ ରନ୍ କରି ୪ଟି ଚୌକା ଓ ୪ଟି ଛକା ମାରିଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୩ଟି ବଲ୍ରେ ୧୮ ରନ୍ କରି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଭାରତର ଏହି ବିଶାଳ ସ୍କୋର ନ୍ୟୁଜିଲାଣ୍ଡ ପାଇଁ କଠିନ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ଏବଂ ଫାଇନାଲ ମ୍ୟାଚ୍ରେ ଭାରତ ଚମତ୍କାର ବିଜୟ ହାସଲ କରି ଟ୍ରଫି ଦଖଲ କରିଥିଲା।