ଟସ୍ ଜିତିଲା ଜିମ୍ବାୱେ, ପ୍ରଥମେ କରିବ ବୋଲିଂ, ପ୍ଲେଇଂ-୧୧ରେ ୨ଟି ପରିବର୍ତ୍ତନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ର ସୁପର-୮ ପର୍ଯ୍ୟାୟରେ ଭାରତ ଏବଂ ଜିମ୍ବାଓ୍ୱେ ମଧ୍ୟରେ ଆଜିର ମ୍ୟାଚ୍ ଦୁଇ ଦଳ ପାଇଁ “କର ବା ମର” ସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍‌ରେ ହାରିଲେ ଭାରତର ବିଶ୍ୱକପ୍ ଯାତ୍ରା ସମାପ୍ତ ହେବ, ଏବଂ ଜିତିଲେ ସେମିଫାଇନାଲ ଆଶା ଜୀବନ୍ତ ରହିବ।ଟସ୍ ଜିତି ଜିମ୍ବାଓ୍ୱେର ଅଧିନାୟକ ସିକନ୍ଦର ରଜା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହ ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଭାରତୀୟ ଦଳ ଆଜି ଦୁଇଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଛି। ରିଙ୍କୁ ସିଂଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଅବସର ମିଳିଛି। ଏହାସହ ଓ୍ଵାଶିଂଟନ ସୁନ୍ଦରଙ୍କୁ ବାଦ ଦିଆଯାଇ ଅକ୍ଷର ପଟେଲଙ୍କୁ ଦଳରେ ଫେରାଇ ଆଣାଯାଇଛି। ରିଙ୍କୁ ସିଂ ନିଜ ପିତାଙ୍କ ଅସୁସ୍ଥତା କାରଣରୁ ଘରକୁ ଫେରିଥିବା ସୂଚନା ମିଳିଛି। ଆଜିର ମ୍ୟାଚ୍‌ରେ ସଞ୍ଜୁ ସାମସନ ଓପନିଂ କରିବା ସହ ଉଇକେଟ୍ କିପିଂ ଦାୟିତ୍ୱ ନେଇଛନ୍ତି।

ସେମିଫାଇନାଲ ରେସରେ ରହିବାକୁ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟାବଶ୍ୟକ। ଅନ୍ୟପଟେ, ଜିମ୍ବାଓ୍ୱେ ପାଇଁ ମଧ୍ୟ ଏହା ସମାନ ଗୁରୁତ୍ୱର। ପୂର୍ବତନ ମ୍ୟାଚ୍‌ରେ ଭାରତ ଦକ୍ଷିଣ ଆଫ୍ରିକାଙ୍କ ପାଖରେ ପରାଜିତ ହୋଇଥିବାବେଳେ, ଜିମ୍ବାଓ୍ୱେ ଓ୍ୱେଷ୍ଟଇଣ୍ଡିଜଙ୍କୁ ହାରିଥିଲା। ଏହିପରି ପରିସ୍ଥିତିରେ ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ହେଉଥିବା ମ୍ୟାଚ୍ ରୋମାଞ୍ଚକର ହେବା ନିଶ୍ଚିତ। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳକୁ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢିବାକୁ ହେଲେ ମାତ୍ର ଜିତିବା ନୁହେଁ, ବଡ଼ ଅନ୍ତରରେ ଜିତିବା ଆବଶ୍ୟକ। ରନ୍ ରେଟ୍ ସୁଧାର ପାଇଁ ଜିମ୍ବାଓ୍ୱେକୁ ୧୦୦ରୁ ଅଧିକ ରନରେ ପରାସ୍ତ କରିବା ଦରକାର, ଯାହା ଭାରତର ସେମିଫାଇନାଲ ଆଶାକୁ ମଜବୁତ କରିବ।