ଗୁଜୁରାଟ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପରିଚାଳିତ ଟ୍ୱେଣ୍ଟି–୨୦ ବିଶ୍ୱକପ୍ ୨୦୨୬ର ଫାଇନାଲ ମ୍ୟାଚ୍ରେ ଭାରତୀୟ ବ୍ୟାଟରମାନେ ଦର୍ଶକ ଓ କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଜିତିଛନ୍ତି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ଦଳ ବିସ୍ଫୋରକ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୫୫ ରନ୍ ସଂଗ୍ରହ କରିଛି। ଫଳରେ ଚାମ୍ପିଅନ ହେବା ପାଇଁ ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୫୬ ରନ୍ର ବିଶାଳ ଲକ୍ଷ୍ୟ ରଖିଛି ଭାରତ।

ଉତ୍କଣ୍ଠାପୂର୍ଣ୍ଣ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପକ୍ଷରୁ ଇନିଂସ ଆରମ୍ଭ କରିଥିଲେ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା। ଉଭୟ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୯୮ ରନ୍ର ଶକ୍ତିଶାଳୀ ଭାଗିଦାରୀ ଗଢ଼ିଥିଲେ। ଅଭିଷେକ ଶର୍ମା ୨୧ଟି ବଲ୍ ଖେଳି ୫୨ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୬ଟି ଚୌକା ଓ ୩ଟି ଛକା ଥିଲା।

ଅନ୍ୟପଟେ ସଞ୍ଜୁ ସାମସନ ମଧ୍ୟ ଦମଦାର ଇନିଂସ ଖେଳି ୪୫ଟି ବଲ୍ରେ ୮୯ ରନ୍ କରିଥିଲେ। ସେ ନିଜ ଇନିଂସରେ ୫ଟି ଚୌକା ଓ ୮ଟି ଛକା ମାରିଥିଲେ। ସାମସନ ଦ୍ୱିତୀୟ ୱିକେଟ୍ ପାଇଁ ଇଶାନ କିଶନଙ୍କ ସହ ୧୦୫ ରନ୍ର ଦମଦାର ଭାଗିଦାରୀ ଗଢ଼ି ଦଳର ସ୍କୋରକୁ ଆହୁରି ମଜବୁତ କରିଥିଲେ। ଇଶାନ କିଶନ ମଧ୍ୟ ତୀବ୍ର ବ୍ୟାଟିଂ କରି ୨୫ଟି ବଲ୍ରେ ୫୪ ରନ୍ ସଂଗ୍ରହ କରିଥିଲେ। ସେ ନିଜ ଇନିଂସରେ ୪ଟି ଚୌକା ଓ ୪ଟି ଛକା ମାରିଥିଲେ। ଶେଷରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୩ଟି ବଲ୍ରେ ୧୮ ରନ୍ କରି ଦଳର ସ୍କୋରକୁ ୨୫୫ରେ ପହଞ୍ଚାଇଥିଲେ। ଭାରତୀୟ ବ୍ୟାଟରମାନଙ୍କ ଏହି ଦମଦାର ପ୍ରଦର୍ଶନ ଫାଇନାଲ୍ ମ୍ୟାଚକୁ ଆହୁରି ରୋମାଞ୍ଚକର କରିଦେଇଛି ଏବଂ ବର୍ତ୍ତମାନ ସମସ୍ତଙ୍କ ନଜର ନ୍ୟୁଜିଲାଣ୍ଡର ରନ୍ଚେଜ୍ ଉପରେ ରହିଛି।