ଭାରତର ଲକ୍ଷ୍ୟ ମହାକାଶ କେନ୍ଦ୍ର କରିବ: ଶିବମ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତ ଏବେ ନିଜର ସ୍ପେସ୍ ଷ୍ଟେସନ ଲଞ୍ଚ କରିବାକୁ ପ୍ରସ୍ତୁତି କରୁଥିବା ଇସ୍ରୋ ପ୍ରମୁଖ କେ ଶିବମ କହିଛନ୍ତି। ଏହି ପ୍ରକଳ୍ପ ଗଗନଯାନ ମିଶନକୁ ଆହୁରି ବିସ୍ତାର କରିବ। ଏହି ପ୍ରକଳ୍ପ ପାଇଁ ୨୦୩୦ ପର୍ଯ୍ୟନ୍ତ ତାରିଖ ସ୍ଥିର କରାଯାଇଛି। ୨୦ ଟନର ସ୍ପେସ୍ ଷ୍ଟେସନ ଜରିଆରେ ଭାରତ ମାଇକ୍ରୋଗ୍ରାଭିଟି ସମ୍ବନ୍ଧିତ ପ୍ରୟୋଗ କରି ପାରିବ। ଏହି ସ୍ପେସ ସେଣ୍ଟର ତିଆରି କରିବାର ମୂଳ ଉଦ୍ଦେଶ୍ୟ, ଭାରତର ଅନ୍ତରୀକ୍ଷ ଯାତ୍ରୀ ୧୫-୨୦ ଦିନ ମହାକାଶରେ ବିତେଇ ପାରିବେ। ମାତ୍ର ଏହି ସମ୍ଵନ୍ଧରେ ଅଧିକ ସୂଚନା ଗଗନଯାନ ମିଶନ ପୂରା ହେବା ପରେ ଦିଆଯିବ ବୋଲି ଶିବମ କହିଛନ୍ତି।
ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ରୂପେ ଭାରତର ନିଜସ୍ୱ। ଆମେରିକା, ରୁଷ ଓ ଚୀନ ପାଖରେ ନିଜର ସ୍ପେସ୍ ଷ୍ଟେସନ ରହିଛି। ଅନ୍ୟ ଦେଶ ମହାକାଶରେ ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରର ବ୍ୟବହାର କରୁଛନ୍ତି। ନୂଆଦିଲ୍ଲୀରେ ଶିବମ କହିଛନ୍ତି ଯେ, ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ଲଞ୍ଚ କରିବା ପରେ ଗଗନଯାନ ପ୍ରକଳ୍ପର ବିସ୍ତାର ହେବ। ଏଥିପାଇଁ ଭାରତ ନିଜର ସ୍ପେସ୍ ସେଣ୍ଟର ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛି।