– ରାଜ୍ୟରେ ବଢୁଛି କର୍ମ କ୍ଷେତ୍ରରେ ମହିଳାଙ୍କୁ ନିର୍ଯ୍ୟାତନା ଘଟଣା
– ହାଇକୋର୍ଟରେ ମାମଲା ପରେ ରାଜ୍ୟ ସରକାରଙ୍କ ତତ୍ପରତା
– ବର୍ଷକ ମଧ୍ୟରେ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ରିପୋର୍ଟ ମାଗିଲା ଗୃହ ବିଭାଗ
– ସବୁ ବିଭାଗ ମୁଖ୍ୟ, ଶ୍ରମ ଆୟୁକ୍ତ, ସବୁ ଜିଲାପାଳ, ସବୁ ଜିଲା ଆରକ୍ଷୀ ଅଧୀକ୍ଷକ ଓ ପୁଲିସ ଉପାୟୁକ୍ତଙ୍କୁ
ଭୁବନେଶ୍ୱର : ରାଜ୍ୟରେ ମହିଳା ଓ ଶିଶୁ ନିର୍ଯାତନା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏସଂକ୍ରାନ୍ତରେ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲାର ଶୁଣାଣିକୁ ନେଇ ଚଳିତମାସ ୧୮ରେ ଗୃହ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସବୁ ବିଭାଗ ମୁଖ୍ୟ, ଶ୍ରମ ଆୟୁକ୍ତ, ସବୁ ଜିଲାପାଳ, ସବୁ ଜିଲା ଆରକ୍ଷୀ ଅଧୀକ୍ଷକ ଓ ପୁଲିସ ଉପାୟୁକ୍ତଙ୍କୁ ପତ୍ର ଲେଖି ଗତ ବର୍ଷକ ମଧ୍ୟରେ କେତେ ସଂଖ୍ୟକ ମହିଳା ଓ ଶିଶୁ ନିର୍ଯାତନା ଅଭିଯୋଗ ହୋଇଛି ତା’ର ରିପୋର୍ଟ ମାଗିଛନ୍ତି ।
ଚିଠିରେ ଲେଖା ଯାଇଛି ଯେ ଗୃହ ବିଭାଗର ଏହି ଚିଠି ଅତ୍ୟନ୍ତ ଜରୁରୀ ମନେ କରି ଗତ ବର୍ଷକ ମଧ୍ୟରେ ମହିଳାଙ୍କ ପ୍ରତି କର୍ମକ୍ଷେତ୍ରରେ କେତେ ନିର୍ଯାତନା ଅଭିଯୋଗ ଆସିଛି ଏବଂ ସେଥିରୁ କେତେକ ଫଇସଲା ହୋଇଛି ତା’ର ବିବରଣୀ ଦିଅ । ଏହି ଅଭିଯୋଗର ସମାଧାନ ଲାଗି ଆନ୍ତଃ ଅଭିଯୋଗ କମିଟି ଗଠନ କରାଯାଇଛି କି ନାହିଁ, ଯଦି କରାଯାଇ ନାହିଁ କାହିଁକି ଏବଂ ତୁରନ୍ତ କମିଟି ଗଠନ କରି ଅଭିଯୋଗର ସ୍ଥିତାବସ୍ଥା ଜଣାଅ । ଏଥିଲାଗି କାର୍ଯ୍ୟାଳୟ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ କର୍ମଚାରୀଙ୍କୁ ସଚେତନ କରାଯାଉଛି କି ନାହିଁ ତାହାର ତଥ୍ୟ ପ୍ରଦାନ କର। ଏହି ମାମଲାରେ ଗଠିତ କମିଟି ସଦସ୍ୟଙ୍କ ଯୋଗାଯୋଗ ନମ୍ବର ସହିତ କେଉଁମାନଙ୍କ ବିରୋଧରେ କିପ୍ରକାର ମାମଲାେର ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଜଣାଇବାକୁ ନିର୍ଦ୍ଦେଶ ।