ମହାରାଷ୍ଟ୍ରରେ ଭାଙ୍ଗିପାରେ ଉଦ୍ଧବ ସରକାର

ମୁମ୍ବାଇ: ମହାରାଷ୍ଟ୍ରର ମହାଅଗାଡି ସରକାର ଯେକୌଣସି ସମୟରେ ଭାଙ୍ଗିଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ତେବେ ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାବିନେଟ ମିଟିଂ ଡାକିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଠାକରେ କରୋନା ପଜିଟିଭ୍ ଥିବାରୁ ଭର୍ଚୁଆଲ ମାଧ୍ୟମରେ ବୈଠକରେ ଯୋଗଦେବେ। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ନିଜ ଟ୍ୱିଟର ପ୍ରୋଫାଇଲରୁ ମନ୍ତ୍ରୀ ପଦ ହଟାଇଥିବା ଜଣାପଡିଛି। ତେବେ ଦଳର ବରିଷ୍ଠ ମନ୍ତ୍ରୀ ଏକନାଥ ସିନେ୍ଧଙ୍କ ସମେତ ୪୪ ବିଧାୟକଙ୍କ ବିଦ୍ରୋହ ପରେ ସରକାର ସଂଖ୍ୟା ଲଘୁ ହୋଇପଡିଛି। ଏକନାଥ ସିନେ୍ଧଙ୍କ ଗୋଟିଏ ଜିଦ୍ ସେ ବିଜେପି ସହିତ ମେଣ୍ଟ ଚାହୁଁଛନ୍ତି। ତେବେ ରାଜନୈତିକ ହଟଚମଟ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ଲାଗି ଆଶାବାଦୀ ରହିଛନ୍ତି।
ଯଦି ଏକନାଥ ସିନ୍ଦେ ୪୦ ବିଧାୟକଙ୍କ ସମର୍ଥନ ନିଜ ସପକ୍ଷରେ ନିଅନ୍ତି ତେବେ, ଉଦ୍ଧବ ଠାକରେଙ୍କ ସରକାର ପାଇଁ ବଡ଼ ଝଟକା ହେବ। ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ଉଦ୍ଧବ ସରକାରର ଯେକୌଣସି ମୁହୂର୍ତରେ ପତନ ଘଟିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଅସନ୍ତୁଷ୍ଟ ବିଧାୟକଙ୍କ ସହ ଡେରା ପକାଇଥିବା ଏକାନାଥଙ୍କୁ ମନାଇବା ପାଇଁ ଶିବସେନା ପକ୍ଷରୁ ପ୍ରୟାସ ଜାରି ରହିଛି। ଶିବସେନାର ଦୁଇ ବରିଷ୍ଠ ନେତା ମଧ୍ୟ ଏକନାଥ ସିନ୍ଦେଙ୍କୁ ଭେଟିଛନ୍ତି। ବିଜେପି ସହ ମିଶି ସରକାର ଗଢିବା ପାଇଁ ସିନ୍ଦେଙ୍କ ଦାବି ଠାକରେଙ୍କୁ ଅଡୁଆରେ ପକାଇଛି। ବିଜେପି ସହ ମିଶି ସରକାର ଗଢିବାକୁ ଏକନାଥ ସିନ୍ଦେଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରତ୍ୟାଖାନ କରିଛନ୍ତି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଅତିବେଶୀରେ ସରକାର ଭାଙ୍ଗି ଯାଇପାରେ, କିନ୍ତୁ ଲଢେଇ ଜାରି ରହିବ। ଅନ୍ୟପଟେ ବିଜେପି ଦଳୀୟ ବିଧାୟକଙ୍କ ପାଇଁ ଫତୁଆ ଜାରି କରିଛି । ବିଧାୟକମାନେ ମୋବାଇଲ ଅନ ରଖିବା ସହ ୨୪ ଘଂଟା ନେଟୱର୍କ ଏରିଆ ଭିତରେ ରହିବାକୁ କଡା ନିର୍ଦ୍ଦେଶ ରହିଛି।