ଅନଲକକୁ ଡବ୍ଲୁଏଚଓର ନାପସନ୍ଦ

ଜେନେଭା: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ବିଭିନ୍ନ ରାଜ୍ୟ ଅନଲକ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ବିଭିନ୍ନ କ୍ଷେତ୍ରରେ ନିୟମରେ କୋହଳ କରାଯାଉଛି । ଏହି ଅନଲକ ପ୍ରକ୍ରିୟାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତାବ୍ୟକ୍ତ କରିବା ସହ ଚେତାବନୀ ଦେଇଛି । ଡବ୍ଲୁଏଚଓର ମୁଖ୍ୟ ଟେଡ୍ରସ ଅଧାନୋମ ଘେବ୍ରେୟସସ କରୋନା କଟକଣା ତରବରିଆ ଭାବେ ନହଟାଇବାକୁ ଚେତାବନୀ ଦେଇଛନ୍ତି। ଡେଲ୍ଟା ଭାରିଏଣ୍ଟ ସହିତ ଅନ୍ୟ ଚିନ୍ତାଜନକ ଭାରିଆଣ୍ଟ ସଂଖ୍ୟା ବଢୁଥିବାରୁ ତରବରିଆ ଭାବେ ପ୍ରତିବନ୍ଧକ ହଟାଇବା ବିନାଶକାରୀ ହୋଇପାରେ । ଏ ପର୍ୟ୍ୟନ୍ତ ଯେଉଁ ଲୋକେ ଭ୍ୟାକ୍ସିନ ନେଇ ନାହାନ୍ତି ସେମାନଙ୍କ ପାଇଁ କରୋନା କଟକଣା କୋହଳ ଘାତକ ହୋଇପାରେ ବୋଲି ଘେବ୍ରେୟସସ କହିଛନ୍ତି ।
ପ୍ରାୟ ଦୁଇ ମାସ ଲକଡାଉନ ପରେ ଭାରତରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। କିନ୍ତୁ ଏହି ପ୍ରକ୍ରିୟାକୁ ନେଇ ଡବ୍ଲୁଏଚଓ ଚିନ୍ତାବ୍ୟକ୍ତ କରିଛି । ଏହା ପୂର୍ବରୁ ଡବ୍ଲୁଏଚଓ ସୂଚନା ଦେଇଥିଲା ଯେ, ଏବେ ମଧ୍ୟ କରୋନା ଡେଲ୍ଟା ଷ୍ଟ୍ରେନ୍ ଚିନ୍ତାର କାରଣ ପାଲଟିଛି। ସୂଚନାଯୋଗ୍ୟ, କୋଭିଡ୍ର ଏହି ଷ୍ଟ୍ରେନ ସର୍ବ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା। ଏହି ଭାରିଏଣ୍ଟର ଦୁଇ ଅନ୍ୟ ଷ୍ଟ୍ରେନକୁ ନେଇ ବର୍ତ୍ତମାନ କୌଣସି ଚିନ୍ତା ନଥିବା ହୁ କହିଥିଲା।
ଡବ୍ଲୁଏଚଓ କହିଛି, ଦୁନିଆର ପ୍ରମୁଖ ଦେଶ ଗୁଡିକୁ ବର୍ତ୍ତମାନ ଟିକାକରଣ ଉପରେ ଜୋର ଦେବା ଉଚିତ୍। ସତର୍କତାର ସହ କାମ କରିବା ଉଚିତ୍। ତରବରିଆ ଭାବେ କଟକଣା ହଟାଇଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ ।