ଗିରଫ ହେଲେ ମୋଟୁ ଥାନା IIC

ଭୁବନେଶ୍ୱର: ଖାକି ବର୍ଦ୍ଦିରେ ଲାଗିଲା କଳଙ୍କ । ବେଆଇନ କାର୍ଯ୍ୟ କରି ବନ୍ଧା ହେଲେ ନିଜେ ଆଇନର ରକ୍ଷାକାରୀ । ପେଶାରେ ଜଣେ ପୋଲିସ, ସେ ପୁଣି ଆଇଆଇସି । ଅପରାଧୀଙ୍କୁ ବାନ୍ଧିବା ବଦଳରେ କିନ୍ତୁ ବେଆଇନ କାରବାରରେ ନିଜେ ହାଜତ ଭିତରକୁ ଚାଲି ଯାଇଛନ୍ତି ଜଣେ ଆଇଆଇସି । ଏହି ପୋଲିସ ବାବୁ ଜଣକ ହେଉଛନ୍ତି ମାଲକାନାଗିରି ମୋଟୁ ଥାନାର ଆଇଆଇସି ସନ୍ତୋଷ ସାହୁ । କାରରୁ ଲକ୍ଷାଧିକ ଟଙ୍କା ଜବତ କରାଯିବା ପରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।
କଟକ ଫୁଲନଖରାରୁ ଖୋର୍ଦ୍ଧା ଯାଉଥିବା ସମୟରେ ତଙ୍କ ନିକଟରୁ ମୋଟ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଥିଲା । ଏହାପରେ ତାଙ୍କୁ ଏ ନେଇ ପଚରା ଉଚରା କରାଯାଇଥିବା ବେଳେ ସେ ଏସବୁ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ । ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ କାର୍ଯ୍ୟାଳୟ, ମୋଟୁରେ ଥିବା ସରକାରୀ ବାସଭବନ ଏବଂ କଟକରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ । ଛଢାଉରେ ତାଙ୍କ ନାମରେ ୧୦ଟି ବ୍ୟାଙ୍କରେ ଥିବା ପାସବୁକ ଏବଂ ବିଭିନ୍ନ ଜମିଜମା କାଗଜପତ୍ର ଜବତ କରାଯାଇଛି । ତେଣୁ ଭିଜିଲାନ୍ସ ଏହି ଆଧାରରେ ମୋଟୁ ଥାନା ଆଇଆଇସି ସନ୍ତୋଷ ସାହୁଙ୍କୁ ଗିରଫ କରିଛି । ତେବେ ଗିରଫ ପରେ ତାଙ୍କୁ ଭୁବନେଶ୍ୱରର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ ।