କୁଜଙ୍ଗକୁ ଏନ୍ଏସିର ମାନ୍ୟତା ନମିଳିଲେ ପ୍ରଶାସନକୁ ଅଚଳ କରାଯିବ, ଦରକାର ପଡିଲେ ତହସିଲ ଘେରାଉ ହେବ

କୁଜଙ୍ଗ:- କୁଜଙ୍ଗକୁ ଏନ୍ଏସିର ମାନ୍ୟତା ନମିଳିଲେ ପ୍ରଶାସନକୁ ଅଚଳ କରାଯିବ ଦରକାର ପଡିଲେ ତହସିଲ ଘେରାଉ ହେବ । ଏଭଳି କିଛି ନର ଲଗାଇ ଥିଲା କୁଜଙ୍ଗ ସଚେତନ ନାଗରିକ ମଞ୍ଚ । ଗତ ୧୬ ତାରିଖରେ  ରାଜ୍ୟର ୭ଟି ଜିଲ୍ଲାରେ ନୂଆ ୧୨ଟି ବିଜ୍ଞପିତ  ଅଂଚଳ ପରିଷଦ (ଏନ୍ଏସି) ଗଠନ କରିବାକୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୂର୍ବ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଜଗତସିଂହପୁର ଜିଲ୍ଲାର କୁଜଙ୍ଗର ନାମ ଘୋଷଣା କରା ହୋଇନଥିଲା ।  ଫଳରେ କୁଜଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁଜଙ୍ଗ ଆଜାଦ ହିନ୍ଦ କ୍ଲବ  ଠାରେ ଏକ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି  ନିଆଯାଇଛି ଯେ ଆସନ୍ତା ୨୬ ତାରିଖରେ କୁଜଙ୍ଗ ତହସିଲ ଘେରାଉ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ।

କୁଜଙ୍ଗରେ ବିଚାର ବିଭାଗୀୟ ଅତିରିକ୍ତ ଜିଲ୍ଲା ଅଦାଲତ ସହିତ ବହୁ ସରକାରୀ କାର୍ଯ୍ୟାଳୟ ରହିଛି । ଏଥି ସହିତ ସମସ୍ତ ଭିତ୍ତିଭୂମି  ଥିବାରୁ ଏନ୍ଏସି ପାଇଁ କୁଜଙ୍ଗରେ ବାରମ୍ବାର ଦାବି ହୋଇ ଆସିଥିଲା । ପୂର୍ବ ସରକାରଙ୍କ ସମୟରେ ପ୍ରଥମ ପର୍ଯ୍ୟାୟରେ ୩୪ଟି ଓ  ପରବର୍ତ୍ତୀ ସମୟରେ ତିନି ଜଣିଆ କମିଟି ଦ୍ବାରା କୁଜଙ୍ଗ ଅଞ୍ଚଳର ଆର୍ଥିକ ସ୍ଥିତି ରିପୋର୍ଟ ଯାଞ୍ଚ କରି ପୁନଃ ୨୨ଟି ଏନ୍ଏସି  ଗଠନରେ କୁଜଙ୍ଗକୁ ସ୍ଥାନ ଦିଆ ଯାଇଥିଲା । ହେଲେ ସରକାର ବଦଳିବା ପରେ ଅଚାନକ ୧୨ ଟି ଏନ୍ଏସି ଘୋଷଣାରେ କୁଜଙ୍ଗ  ବାଦ ପଡିଥିବାରୁ କୁଜଙ୍ଗ ଅଞ୍ଚଳରେ ଅସନ୍ତୋଷ ନିଆଁ ଲାଗିଛି । ଆଗାମୀ ଦିନରେ ଆନ୍ଦୋଳନ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିବ  ବୋଲି କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି ।