ଅନ୍ୟ ଏକ ଝିଅ ପାଇଁ ମତେ ବାହାର କରିଦେଲେ

ମାଲକାନଗିରି : ବିବାହିତ ହୋଇକି ବାୟା ହେଲେ ଝିଅଙ୍କ ପ୍ରେମରେ । ଅନ୍ୟପାଇଁ ମତେ ନିର୍ଯାତନା ଦେଲେ । ଏମିତିକିଛି ଅଭିଯୋଗ ଆଣିଛନ୍ତିି ଜଣେ ମହିଳା । ନ୍ୟାୟ ଦାବିରେ ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି । ସ୍ବାମୀଙ୍କ ବିରୋଧରେ ଅନ୍ୟ ଏକ ସ୍ତ୍ରୀ ରଖିଥିବା ସହ ନିର୍ୟ୍ୟାତନା ଦେଇଥିବା ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମପିଭି ୮୧ ଗ୍ରାମରେ । ସୂଚନା ଅନୁଯାୟୀ ଏମପିଭି ୮୧ ଗ୍ରାମର ଅଶୋକ ବିଶ୍ବାସଙ୍କୁ ଏମ୍ଭି ୧୪ ଗ୍ରାମର ଯୁବତୀ ସୁପ୍ରିୟା ବେପାରୀ ୨୦୧୭ ମସିହାରେ ବିବାହ କରିଥିଲେ । ତେବେ କିଛି ମାସ ପରେ ଅଶୋକ ସୁପ୍ରିୟାଙ୍କୁ ଦୂରେଇ ଅନ୍ୟ ଏକ ମହିଳାଙ୍କ ସହ ସମ୍ପର୍କ ରଖିବା ସହ ସୁପ୍ରିୟାଙ୍କୁ ଅତ୍ୟାଚାର କରୁଥିବା ବେଳେ ଏନେଇ ସୁପ୍ରିୟା ପୂର୍ବରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ତେବେ ବର୍ତ୍ତମାନ ଅଶୋକ ସୁପ୍ରିୟାଙ୍କୁ ପୂର୍ବ ପରି ନିର୍ୟ୍ୟାତନା ଦେବା ସହ ଉକ୍ତ ମହିଳାଙ୍କ ସହ ସମ୍ପର୍କ ରଖିଥିବା ବେଳେ ନ୍ୟାୟ ଦାବିରେ ସୁପ୍ରିୟା ଆଜି ମାଲକାନଗିରି ଏସପି ନିତେଶ ୱାଧୱାନିଙ୍କ ଦ୍ଵାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ।