ଖୋର୍ଦ୍ଧା: କୋରାପୁଟ ଏବଂ ଫୁଲବାଣୀରୁ ଦୈନନ୍ଦିନ ବିପୁଳ ପରିମାଣର ଗଞ୍ଜେଇ ଖୋର୍ଦ୍ଧା ବାଟରେ ଭୁବନେଶ୍ୱରକୁ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ଏହାପରେ ତତ୍ପର ହୋଇ ଗଞ୍ଜେଇ ମାଫିଆଙ୍କ ଉପରେ ଅବକାରୀ ବିଭାଗ ଚଢଉ ଜାରି ରଖିଛି । ଆଜି ମଧ୍ୟ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିବା ଜଣାଯାଇଛି । ବେଗୁନିଆ ଥାନା ଅନ୍ତର୍ଗତ ବଡ ବେରଣା ଛକ ନିକଟରେ ସନ୍ଦେହରେ ଏକ ଗାଡିକୁ ଅଟକାଇଥିଲା ଅବକାରୀ ବିଭାଗ । ଗାଡିକୁ ଯାଞ୍ଚ କରିବାରୁ ସେଥିରୁ ବିପୁଳ ପରିମାଣର ଗଞ୍ଜେଇ ପ୍ୟାକେଟ ଜବତ କରାଯାଇଛି । ତେବେ ଗାଡିରୁ ଗଞ୍ଜେଇ ଜବତ ହେବା ପରେ ବିଭାଗ ଆହୁରି ସଜାଗ ହେବା ସହ ଅଧିକ ତଦନ୍ତ ଜାରି ରଖିଛି । କିଛି ଦିନ ତଳେ ମଧ୍ୟ ଖୋର୍ଦ୍ଧା ପୋଲିସ ଏକ କ୍ୱିଣ୍ଟାଲ ଗଞ୍ଜେଇ ସହ ଗୋଟିଏ କାର ଜବତ କରିଥିଲା । ତେବେ ଏତେ କଡା ଚେକିଂ ପରେ ମଧ୍ୟ ବେଧଡକ ଗଞ୍ଜେଇ ବେପାର ପୋଲିସ ଏବଂ ଅବକାରୀ ବିଭାଗ ପ୍ରତି ଚାଲେଞ୍ଜ ସୃଷ୍ଟି କରିଛି ।