ଏଣିକି ଚିଲିକାରେ ପର୍ଯ୍ୟଟକ ଉପଭୋଗ କରିବେ ହାଉସ୍‌ବୋଟ୍‌

ଖୁବଶୀଘ୍ର ଚିଲିକାରେ ହେବ ହାଉସ୍‌ବୋଟ୍‌ ବ୍ୟବସ୍ଥା ।

(ଚିଲିକା) : ଖୁବଶୀଘ୍ର ଚିଲିକାରେ ହେବ ହାଉସ୍‌ବୋଟ୍‌ ବ୍ୟବସ୍ଥା । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଚିଲିକାରେ ଆରମ୍ଭ ହେବାକୁଯାଉଛି ହାଉସ୍‌ବୋଟ୍‌ ବ୍ୟବସ୍ଥା । ଯାହାକି, ରାଜ୍ୟରେ ପ୍ରଥମ । ଏହା ଆସନ୍ତା ଜୁନ୍‌ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରୁ ଏହି ବ୍ୟବସ୍ଥା ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିବେ ।

ଏକ ଘରୋଇ ସଂସ୍ଥା ବିକାଶ ଇକୋ ରିସୋର୍ଟସ୍‌କୁ ବୋଟ୍‌ ପରିଚାଳନା ଦାୟିତ୍ୱ ଦିଆଯାଇଛି । ପର୍ଯ୍ୟଟକଙ୍କ ଖୁସି ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ ସହ ସବୁ ପ୍ରକାର ସୁବିଧା ବୋଟ୍‌ରେ ଉପଲବ୍ଧ ରହିଛି । ବୋଟ୍‌ ତଥା ଏହି ପ୍ରକଳ୍ପର ନାଁ ‘ଗରୁଡ଼’ ରଖାଯାଇଛି ।

ସୂଚନାନୁଯାୟୀ , ଡବଲ୍‌ ଇଞ୍ଜିନ୍‌ ବିଶିଷ୍ଟ ଏହି ବୋଟ୍‌ର ଲମ୍ବା ୧୦୫ଫୁଟ୍‌, ଓସାର ୨୨ଫୁଟ୍‌ । ଚିଲିକାର ଜଳବାୟୁ ଓ ପରିବେଶ ଅନୁଯାୟୀ ଏହାର ଡିଜାଇନ୍‌ କରାଯାଇଛି । ବୋଟ୍‌ର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର୍‌ ସହିତ ଲାଉଞ୍ଜ ଅଛି । ଏଠାରେ ୩୦ଜଣ ଲୋକ ଏକାଠି ହୋଇପାରିବେ । ବୋଟ୍‌କୁ ଏକକାଳୀନ ୬ ଦମ୍ପତି ବୁକ୍‌ କରିପାରିବେ । ପ୍ୟାକେଜ୍‌ ଅନୁସାରେ ସମସ୍ତେ ୨୪ଘଣ୍ଟାର ମଜା ନେଇପାରିବେ । ସେଥିରେ ସ୍ୱାସ୍ଥ୍ୟକାରୀ ସୁସ୍ୱାଦୁ ମଧ୍ୟାହ୍ନଭୋଜନ, ହାଇ ଟି, ରାତ୍ରିଭୋଜନ ଓ ସକାଳ ଜଳଖିଆ ମିଳିବ । ବୋଟ୍‌ରେ ଥିବା ପ୍ରାଇଭେଟ୍‌ ଲାଉଞ୍ଜରେ ୪ଟି ପ୍ରିମିୟମ ରୁମ୍‌ ରହିଛି । ଦୁଇଟି ସୁଟ୍‌ ରୁମ୍‌ରେ ନୀଳାମ୍ବୁ ଚିଲିକାର ମନୋରମ ଦୃଶ୍ୟକୁ ୧୮୦ଡିଗ୍ରୀରୁ ଉପଭୋଗ କରିପାରିବେ । ତା’ ସାଙ୍ଗକୁ କିଙ୍ଗ୍‌ ସାଇଜ୍‌ ବେଡ୍‌, ବସିବା ଲାଗି ଦିୱାନ୍‌(ରାଜକୀୟ ସୋଫା)ର ବ୍ୟବସ୍ଥା କରାଯାଇଛି ।