ଡାର୍କ ସର୍କଲ ସମସ୍ୟା ନେଇ ଚିନ୍ତିତ କି ?? ଆପଣାନ୍ତୁ ଏହି ସବୁ ଉପାୟ …

ଭୁବନେଶ୍ୱର: ନିତିଦିନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଅନେକ ମହିଳା ନିଜର ତ୍ୱଚା ପ୍ରତି ଧ୍ୟାନ ଦେଇ ପାରିନଥାନ୍ତି । ଯାହା ଫଳରେ ଅନେକ ମହିଳାଙ୍କ ନିକଟରେ ବିଭିନ୍ନ ପ୍ରକାରର ତ୍ବଚା ଜନିତ ସମସ୍ୟା ଦେଖିବାକୁ ମିଳିଥାଏ । ତେବେ ତ୍ୱଚା ଜନିତ ସମସ୍ୟା ମଧ୍ୟରୁ ଆଖି ତଳେ ଡାର୍କ ସର୍କଲ ପଡିବା ଏକ ମୁଖ୍ୟ ସମସ୍ୟା ଭାବେ ଅନେକଙ୍କ କ୍ଷେତ୍ରରେ ସାମ୍ନାକୁ ଆସିଛି । ତେବେ ଏହି ସମସ୍ୟାରୁ ମୁକ୍ତି ନିମନ୍ତେ ଆସନ୍ତୁ ଜାଣିବା କିଛିଟା ସରଳ ଉପାୟ …

  • କାକୁଡି: ଆଖି ତଳେ ଡାର୍କ ସର୍କଲରୁ ମୁକ୍ତି ପାଇବା ପାଇଁ କାକୁଡ଼ି ବିଶେଷ ଭାବରେ ସାହାଯ୍ୟ କରିଥାଏ । ତେବେ କାକୁଡ଼ିକୁ ତ୍ୱଚାରେ ବ୍ୟବହାର କରିବା ପୂର୍ବରୁ ପ୍ରଥମେ କାକୁଡ଼ିକୁ ଭଲ ଭାବରେ ଧୋଇ ପତଳା ପତଳା କାଟି କରି ଫ୍ରିଜରେ ରଖନ୍ତୁ । ଏହା ଥଣ୍ଡା ହୋଇଯିବା ପରେ, ଏହାକୁ ବାହାର କରି ଆଖି ଉପରେ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଆଖିରେ ଲଗାଇ ରଖନ୍ତୁ । ଏପରି କରିବା ଦ୍ବାରା, ତ୍ୱଚାରୁ ଡାର୍କ ସର୍କଲ ସମସ୍ୟା ଦୂର ହୋଇଥାଏ ।
  • ମିଣ୍ଟ ବା ପୁଦିନା: ପୁଦିନା ପତ୍ର ବିଶେଷ ଭାବରେ ତ୍ୱଚାକୁ ଶୀତଳତା ପ୍ରଦାନ କରିଥାଏ । ପୁଦିନା ପତ୍ରକୁ ଭଲଭାବରେ ପେଷ୍ଟ କରି ସେଥିରେ କିଛି ମାତ୍ରାରେ ପାଣି ମିଶାଇ, ଏକ ତୁଳା ସାହାଯ୍ୟରେ ଆଖି ତଳେ ଡାର୍କ ସର୍କଲ ପଡିଥିବା ସ୍ଥାନରେ ଲଗାଇ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ତେବେ ଏହା ଶୁଖିଯିବା ପରେ ଥଣ୍ଡା ପାଣିରେ ମୁହଁକୁ ଭଲଭାବରେ ଧୋଇ ଦିଅନ୍ତୁ । ମିଣ୍ଟ ବା ପୁଦିନା ପତ୍ରର ବ୍ୟବହାର କରିବା ପରେ ମଧ୍ୟ ଡାର୍କ ସର୍କଲ ସମସ୍ୟା ଦୂର ହୋଇଥାଏ ।
  • କମଳା ରସ: କମଳା ରସରେ ଭିଟାମିନ Cର ମାତ୍ରା ବହୁଳ ଭାବରେ ଥିବାରୁ ଏହା ତ୍ୱଚାରେ ଡାର୍କ ସର୍କଲ ସମସ୍ୟା ଦୂର କରିବା ସହିତ ମୁହଁରେ ବ୍ରଣ,କଳା ଦାଗ ଭଳି ସମସ୍ୟା ମଧ୍ୟ ଦୂର କରିଥାଏ । କମଳା ରସରେ ଗ୍ଲିସେରିନ ମିଶାଇ ଡାର୍କ ସର୍କଲ ପଡିଥିବା ସ୍ଥାନରେ ଲଗାଇ କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତୁ । ତ୍ୱଚାରେ ଡାର୍କ ସର୍କଲ ସମସ୍ୟାରୁ ଏହା ଖୁବ ଶୀଘ୍ର ମୁକ୍ତି ଦେବ ।
  • ବାଦାମ ତେଲ: ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଡାର୍କ ସର୍କଲ ଥିବା ସ୍ଥାନରେ ବାଦାମ ତେଲ ଲଗାଇ, ହାଲକା ମସାଜ କରନ୍ତୁ । ସକାଳୁ ଉଠିବା ପରେ ମୁହଁକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ । ଏହି ସହଜ ଉପାୟରେ ମଧ୍ୟ ଆପଣ ଅନେକ ମୁଖ ସମସ୍ୟାରୁ ମୁକ୍ତି ପାଇପାରିବେ ।
  • ଗ୍ରୀନ୍-ଟି ବ୍ୟାଗ: ବ୍ୟବହୃତ ଗ୍ରୀନ୍-ଟି ବ୍ୟାଗ ଫୋପାଡିବା ବଦଳରେ ଏହାକୁ ଆପଣ ଫ୍ରିଜରେ ରଖି ଡାର୍କ ସର୍କଲ ପଡିଥିବା ସ୍ଥାନରେ ମଧ୍ୟ ବ୍ୟବହାର କରି ପାରିବେ । ଗ୍ରୀନ୍-ଟି ତ୍ୱଚା ଏବଂ ଆଖି ନିମନ୍ତେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।