ନୂଆଦିଲ୍ଲୀ : ଇତିହାସ ରଚିଲା ଇସ୍ରୋ । ସୂର୍ଯ୍ୟର ଏଲ ୧ ପଏଣ୍ଟରେ ପହଞ୍ଚିଲା ଆଦିତ୍ୟ ଏଲ ୧ । ଏବେ ଭାରତର ଏହି ସାଟେଲାଇଟ୍ ପୃଥିବୀଠାରୁ ଠିକ୍ ଦେଢ ଲକ୍ଷ କିଲୋମିଟର ଦୂରରେ ରହିଛି । ଯାହାକି ଗତ ସେପ୍ଟେମ୍ବର ୨ ତାରିଖରେ ନିଜର ଯାତ୍ରା ଆରମ୍ଭ କରିଥିଲା । ତେବେ ମାତ୍ର ୪ ଶହ କୋଟି ଟଙ୍କାରେ ଆରମ୍ଭ ହେଇଥିବା ଏହି ମିଶନ୍ ଏବେ ଇସ୍ରୋକୁ ଦେଇଛି ବଡ ସଫଳତା । ଆଦିତ୍ୟ ଏଲ୍-ୱାନ୍ ୫ ମାସ ପରେ ଜାନୁଆରୀ ୬ ତାରିଖରେ ଏଲ ୧ ପଏଣ୍ଟରେ ପହଞ୍ଚିଛି । ଏହି ହେଲୋ ଅର୍ବିଟରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରିବ ଆଦିତ୍ୟ ଏଲ ୧ । ସେଠାରେ ଏହା ୫ ବର୍ଷ ଧରି କାମ କରିବ । ତେବେ ଇସ୍ରୋର ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଭାରତ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଗତବର୍ଷ ସେପ୍ଟେମ୍ବର ୨ତାରିଖରେ ଆଦିତ୍ୟ ଏଲ-ୱାନ୍ ପ୍ରେରଣ ହୋଇଥିଲା। ଏହା ସୂର୍ଯ୍ୟର ବିଭିନ୍ନ ଗତିବିଧି ଓ ମହାକାଶର ପାଣିପାଗ ସମ୍ପର୍କରେ ଅନୁଧ୍ୟାନ କରିବ।