ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଦରକାର : ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର : ସାମଗ୍ରିକ ବିକାଶ ପାଇଁ ମାଷ୍ଟର ପ୍ଲାନ | ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ସାମ୍ବାଦିକ ସମ୍ମିଳନୀ | ତେବେ ହାଇକୋର୍ଟ ବେଞ୍ଚ ଆବଶ୍ୟକତା ନେଇ ବହୁବର୍ଷ ହେଲା ପଶ୍ଚିମ ଓଡ଼ିଶାବାସୀ ଦାବି କରି ଆସୁଛନ୍ତି | ଏଣୁ ଏହାର ଆବଶ୍ୟକତା ପରିଲିକ୍ଷିତ ହେଉଛି | ଏଥିସହ ସମ୍ବଲପୁରରେ ରାସ୍ତାଘାଟ, ପିଇବା ପାଣି, ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସୁଧୁରିବା ପାଇଁ ଦୀର୍ଘମିଆଦୀ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବା ଲାଗି ଜିଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି। ଅଞ୍ଚଳର ମୌଳିକ ସମସ୍ୟା ଦୂରୀକରଣ ସହ ଲୋକଙ୍କ ଆକାଂକ୍ଷା ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ। ରବିବାର ଜିଲା ପ୍ରଶାସନିକ ଅଧିକାରୀଙ୍କ ବୈଠକ ପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଥିଲେ ଯେ, ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ହେଲେ ସମ୍ବଲପୁରରେ ହେବ। କାରଣ ଏହା ପଶ୍ଚିମାଞ୍ଚଳର କେନ୍ଦ୍ରସ୍ଥଳ। ଗମନାଗମନ ଦୃଷ୍ଟିରୁ ପଶ୍ଚିମାଞ୍ଚଳର ସବୁ ଅଞ୍ଚଳକୁ ଯୋଗାଯୋଗର ସୁବିଧା ରହିଛି। ସେଥିପାଇଁ ସମ୍ବଲପୁରର ଜନପ୍ରତିନିଧି ଭାବେ ସେ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଦାବିକୁ ସମର୍ଥନ କରୁଥିବା କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡ଼ିଶାରେ ଜନ ଆଶୀର୍ବାଦ କାରଣରୁ ଭାଜପା ସରକାର ଗଠନ ହୋଇଛି। ସରକାର ଗଠନର ସ୍ବଳ୍ପ ସମୟ ମଧ୍ୟରେ ଭାଜପା ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁରକୁ ଆଗକୁ ନେବା ପାଇଁ ମଧ୍ୟ ଦଳ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ବର୍ଷାଋତୁକୁ ଦୃଷ୍ଟିରେ ରଖି ସମ୍ବଲପୁରର ରାସ୍ତାଘାଟ, ପାନୀୟ ଜଳ, ସ୍ବାସ୍ଥ୍ୟସେବା, ପରିମଳ, ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ଲୋକଙ୍କୁ ସବୁ ସୁବିଧା ସହ କ୍ରୀଡ଼ାକୁ ପ୍ରୋତ୍ସାହନ, କଳା ଓ ସଂସ୍କୃତିକୁ ଆଗକୁ ନେବା ପାଇଁ ବହୁମୁଖୀ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ନାଗରିକଙ୍କ ଥିବା ଅପେକ୍ଷା ଉପରେ ମହାନଗର ନିଗମ ଅଧିକାରୀଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଥିବା ସେ ସୂଚନା ଦେଇଥିଲେ।