୧୧ରୁ ୧୩ ରାଜ୍ୟରେ ପ୍ରବଳ ବର୍ଷା, ୧୮ରେ ଆଉ ଏକ ଲଘୁଚାପ

ଭୁବନେଶ୍ବର : ଉତ୍ତର ତଥା ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୭ ଦିନରେ ଦୁଇଟି ଲଘୁଚାପ ସୃଷ୍ଟି ହେବ। ଆସନ୍ତା ୧୧ ତାରିଖରୁ ରାଜ୍ୟରେ ଆଉ ଏକ ଲଘୁଚାପ ହେବ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ । ୧୧ତାରିଖ ଦିନ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବାର ୪୮ଘଣ୍ଟାରେ ତାହା ଅଧିକ ଘନୀଭୂତ ହୋଇ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏହା ପ୍ରଭାବରେ ୧୧ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ୧୨ ଓ ୧୩ ତାରିଖରେ ବର୍ଷାର ବିସ୍ତୃତି ଓ ପରିମାଣ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
ଲଘୁଚାପ ପ୍ରଭାବରେ ୧୧ ତାରିଖ ଦିନ ଖୋର୍ଧା, ପୁରୀ, ଜଗତସିଂହପୁର, କଟକ, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୨ତାରିଖ ଦିନ ଗଞ୍ଜାମ, ପୁରୀ, ଖୋର୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ଗଜପତି, ନୟାଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବୌଦ୍ଧ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୧୩ ତାରିଖ ଦିନ ରାଜ୍ୟରେ ବର୍ଷାର ପରିମାଣ ଅଧିକ ରହି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ତାହା ଚଳିତ ସେପ୍ଟେମ୍ବର ମାସର ତୃତୀୟ ଲଘୁଚାପ ହେବ। ଏହା ପ୍ରଭାବରେ ସାରା ରାଜ୍ୟରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ହେବ। ଲଘୁଚାପ ଯୋଗୁଁ ରାଜ୍ୟରେ ସମୁଦାୟ ବର୍ଷା ୮୦ ମିମି ହୋଇପାରେ। ସମ୍ଭାବ୍ୟ ଲଘୁଚାପ ଫଳରେ ସେପ୍ଟେମ୍ବର ମାସର ବର୍ଷା ସ୍ବାଭାବିକ ପରିମାଣରୁ ଅଧିକ ହୋଇପାରେ। ଖାଲି ପଡ଼ିଥିବା ଢିପା ଜମିରେ ପାଗ ଦେଖି ବର୍ତ୍ତମାନଠାରୁ ପ୍ରାକ୍-ରବି ଅଣଧାନ ଫସଲ ରୋଇବାକୁ ଡ. ପଶୁପାଳକ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି।