କାଲି ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର, ପ୍ରବଳ ବର୍ଷିବ

ଭୁବନେଶ୍ଵର: କାଲି ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର । ୨୬ ତାରିଖ ସୁଦ୍ଧା ଘନୀଭୂତ ହୋଇ ଅବପାତ ସମ୍ଭାବନା । ୨୭ ସୁଦ୍ଧା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଅତିକ୍ରମ କରିବ । କାଲି ପାଇଁ କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି, ବାଲେଶ୍ବରକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ବର୍ଷା ସମ୍ଭାବନା । ୨୮ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ବାରଣ କରିଛି ପାଣିପାଗ ବିଭାଗ ।

ଉତ୍ତରପଶ୍ଚିମ ଓ ଆଗକୁ ଦୁଇଟି ଲଘୁଚାପ ଆସୁଥିବା ବେଳେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି। କୋରାପୁଟ ଜିଲ୍ଲାର ସବୁ ବ୍ଲକରେ ରେକର୍ଡ ପରିମାଣର ବର୍ଷା ହୋଇଛି। ସେହିପରି ସମ୍ବଲପୁରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ସମ୍ବଲପୁରରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିଛି। ସେପଟେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍‌ ଖୋଲିଛି । ୧୨ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ୱର ୮ ଓ ଡାହାଣ ପାର୍ଶ୍ଵର ୪ଟି ଗେଟ୍‌ ଖୋଲା ରହିଛି । ଜଳଭଣ୍ଡାରର ଜଳସ୍ତର ୬୨୯.୯୭ ଫୁଟ ରହିଛି । ୨ ଲକ୍ଷ ୫ ହଜାର ୪୨୬ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୬୭ ହଜାର ୩୦୭ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି ।