ଆଭ୍ୟନ୍ତରୀଣ ଓଡ଼ିଶାରେ ଅବପାତ; ୨୪ ତାରିଖ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ଵର: ଦୁର୍ବଳ ହେଉଛି ଅବପାତ । ଆଗାମୀ ୧୨ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। କ୍ରମଶଃ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ ମୁହାଁ ହେବ। ଅବପାତ ପ୍ରଭାବରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଲାଗିରହିଛି ବର୍ଷା ।  ଆସନ୍ତା ୨୪ ତାରିଖ ଯାଏ ପ୍ରବଳ ବର୍ଷା ଆଶଙ୍କା ରହିଛି ।  ଆଜି ପ୍ରବଳ ବର୍ଷା ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କେନ୍ଦୁଝର ଓ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି ହୋଇଛି ।  ପୁଣି ବୁଧବାରଠାରୁ ରାଜ୍ୟର ଉତ୍ତର-ପଶ୍ଚିମ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ୨୪ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଲଘୁଚାପଜନିତ କାରଣରୁ ସମୁଦ୍ର ଅଶାନ୍ତ ହୋଇପଡିଛି। ପାରାଦୀପ ମାଛ ଧରା ବନ୍ଦରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏ ନେଇ ସାଗରମିତ୍ର ପକ୍ଷରୁ ପାରାଦୀପ ମାଛଧରା ବନ୍ଦରଠାରେ ସତର୍କ ସୂଚନା ଦିଆଯାଇଛି । ଅଗଷ୍ଟ ୧୯ ତାରିଖରୁ ୨୧ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀ, ଡଙ୍ଗା ମାଲିକ ଓ ବୋଟ୍‌ ମାଲିକମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଭିତରକୁ ମାଛ ଧରିବାକୁ ଯିବା ପାଇଁ ବାରଣ କରାଯାଇଛି । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ କୂଳକୁ ଫେରି ଆସିବା ପାଇଁ ନିବେଦନ କରାଯାଇଛି ।