ଏହି ଜିଲ୍ଲାରେ ଆସନ୍ତା ୩ ଦିନ ଯାଏଁ ସ୍କୁଲ ଓ ଅଙ୍ଗନବାଡି ଛୁଟି

ମୟୁରଭଞ୍ଜ: ଉବୁଟୁବୁ ଉତ୍ତର ଓଡିଶା  । ଲଗାଣ ବର୍ଷା କାରଣରୁ ଉତ୍ତର ଓଡିଶାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଲାଣି  । ସେପଟେ ମୟୁରଭଞ୍ଜ ଜିଲ୍ଲାରେ ଆସନ୍ତା ୩ ଦିନ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ  । ସେଥିପାଇଁ ଆଜିଠାରୁ ଆସନ୍ତା ୩ ଦିନ ଯାଏଁ ମୟୁରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖାଯାଇଛି  । ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ  ।

ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି  ।  ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର ଆଜି, ଆସନ୍ତାକାଲି ଓ ବୁଧବାର ଯାଏ ବନ୍ଦ ରହିବ ।  ପ୍ରଥମରୁ ଦଶମ ଶ୍ରେଣୀ ଯାଏ କେବଳ ଆଜି ପାଇଁ ବନ୍ଦ ରହିବ ।  ପାଗରେ ପରିବର୍ତ୍ତନ ଆସିବା ପରେ ଏହି ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଖୋଲାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।  ଜିଲ୍ଲାର ବିଭିନ୍ନ ଛୋଟବଡ଼ ନଦୀନାଳ କେତେକ ସ୍ଥାନରେ ଉଛୁଳି ବନ୍ୟାସ୍ଥିତି ସୃଷ୍ଟି କରିଥିବାର ମଧ୍ୟ ଦେଖିବାକୁ ମିଳିଛି  । ସେପଟେ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବାଲେଶ୍ବର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି। ୩ ପ୍ରମୁଖ ନଦୀ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ଫୁଲୁଥିବା ବେଳେ ରାଜଘାଟରେ ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ। ସୁବର୍ଣ୍ଣରେଖା ସତର୍କ ସଙ୍କେତ ୯.୪୫ମିଟର ଥିବା ବେଳେ ଏବେ ୯.୫୦ ମିଟରରେ ପ୍ରବାହିତ ହେଉଛି ବନ୍ୟା ଜଳ।