ମୁମ୍ୱାଇ: ବୁଧବାର ସକାଳେ ମୁମ୍ବାଇରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଭାବରେ ଭୋର ୪ଟାରୁ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ପାଇଁ ମୁମ୍ବାଇରେ ଲୋକାଲ ଟ୍ରେନ ଚଳାଚଳ ବନ୍ଦ ରହିଛି। ସକାଳ ୯ଟା ୫୦ରୁ ମୂଷଳଧାରାରେ ବର୍ଷା ହେବାରୁ ଛତ୍ରପତି ଶିବାଜୀ ଟର୍ମିନାଲରୁ ଏବଂ କୁର୍ଲା ମଧ୍ୟରେ ଲୋକାଲ ଟ୍ରେନ୍ ଚଳାଚଳ ବନ୍ଦ ରଖାଯାଇଛି। ମୁମ୍ବାଇ ସହରର ଅଧିକାଂଶ ରାସ୍ତାରେ ମଧ୍ୟ ପାଣି ଭର୍ତ୍ତି ହୋଇଯାଇଛି। ତେଣୁ ବସ୍ ରୁଟରେ ମଧ୍ୟ ପରିବର୍ତ୍ତନ ହୋଇଛି
ସାନ୍ତା କ୍ରୁଜରେ ସକାଳ ୮ଟା ସୁଦ୍ଧା ୫୯.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କୋଲାବାରେ ୭୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଜୁନ ମାସରେ ଏପର୍ଯ୍ୟନ୍ତ ମୁମ୍ବାଇରେ ମୋଟ ୧୮୫ ମିଲିମିଟର ବର୍ଷା ହୋଇଛି। ମୁମ୍ବାଇର ଅଧିକାଂଶ ଅଞ୍ଚଳରେ ୪୦ ରୁ ୭୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି। ପୁଣେ ପାଣିପାଗ ବୈଜ୍ଞାନିକ କେ.ଏସ୍ ହୋସାଲିକର କହିଛନ୍ତି, “ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ମୁମ୍ବାଇ ଉପରେ ମେଘ ଦୃଶ୍ୟମାନ ହେଉଛି। ତେଣୁ ପଶ୍ଚିମ ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
ସୂଚନାଯୋଗ୍ୟ, ମୌସୁମୀ ଦୁଇ ଦିନ ପୂର୍ବରୁ ମୁମ୍ବାଇରେ ପହଞ୍ଚିଛି। ଆଗକୁ ତିନି ରୁ ଚାରି ଦିନ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଏହି ସମୟରେ ସହରରେ ୩୦୦ ରୁ ୩୫୦ ମିଲିମିଟର ବର୍ଷା ହୋଇପାରେ।