( ଜୟନ୍ତ କୁମାର ସେଠୀ) : ପୁରୀ ଜିଲ୍ଲା ପିପିଲି ବ୍ଲକର ଦୀର୍ଘଦିନ ଧରି ବିବାଦରେ ଥିବା ନାହାମଙ୍ଗପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ବରେ ଥିବା ହିମାଂଶୁ ଶେଖର ନାୟକ ବିଜେପି ମିଶ୍ରଣ ପର୍ବର ମଞ୍ଚ ଉପରେ ବେକରେ ଦଳୀୟ ଉତ୍ତରୀୟ ଓ ଫୁଲତୋଡା ଧରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରମର୍ଦ୍ଦନ କରୁଥିବା ଫଟୋ ଭାଇରାଲ ହୋଇଥିଲା। ଘଟଣା ଜଣା ପଡିବା ପରେ ଗ୍ରାମବାସୀ ଏନେଇ ଜିଲ୍ଲା ଶିକ୍ଷାଧିକାରିଣୀଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମେ ବ୍ଲକ ଶିକ୍ଷାଧିକାରୀ ଓ ପରେ ନିଜେ ଜିଲ୍ଲା ଶିକ୍ଷାଧିକାରୀଣି ନାହାମଙ୍ଗପାଟଣା ଗାଁକୁ ଆସି ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ରିପୋର୍ଟରେ ଉଭୟ ଅଧିକାରୀ ସଂପୃକ୍ତ ଶିକ୍ଷକଙ୍କ ରାଜନୈତିକ ସଂପୃକ୍ତି ଅନୁଭବ କରିଥିବା ଉଲ୍ଲେଖ କରିଥିଲେ। ତେବେ ଫଟୋଟି ପୁରୁଣା ଫଟୋ ଦର୍ଶାଇ ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଉକ୍ତ ଶିକ୍ଷକଙ୍କ ବଦଳି କରିଛନ୍ତି। ପ୍ରକାଶ ଥାଉକି, ଉକ୍ତ ସ୍କୁଲକୁ କେନ୍ଦ୍ର କରି ବଳଙ୍ଗା ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ମାନସ ସାହୁଙ୍କ ଏତଲାକୁ ଭିତ୍ତି କରି ୧୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଯେଉଁଥିରେ ପ୍ରଧାନଶିକ୍ଷକ ହିମାଂଶୁ ନାୟକ ୧ ନମ୍ବର ଅଭିଯୁକ୍ତ ଭାବେ ରହିଛନ୍ତି। ଏହାସହ ବିଦ୍ୟାଳୟର ଅନ୍ୟ ଜଣେ ଶିକ୍ଷକଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଦୁଇ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।
ସୂଚନାମୁତାବକ, ଦୀର୍ଘଦିନ ଧରି ବିବାଦରେ ଥିବା ନାହାମଙ୍ଗପାଟଣା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହିମାଂଶୁ ଶେଖର ନାୟକଙ୍କ ବଦଳି ହୋଇଛନ୍ତି । ପୁରୀ ସଦର ବ୍ଲକ ଅଧିନ ବୀରବଳଭଦ୍ରପୁର ବିଦ୍ୟାଳୟକୁ ତାଙ୍କ ବଦଳି ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷାଧିକାରୀଣି ଚିଠି ନଂ- ୯୭୫୨ରେ ଏ ନେଇ ପିପିଲି ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଛି । ଏହାସହ ତାଙ୍କୁ ତୁରନ୍ତ ନୁଆ ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି। ଏହି ଚିଠି ପାଇବା ପରେ ବିଇଓ ପ୍ରମୋଦ ପରିଡା ତୁରନ୍ତ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ଚିଠି ହସ୍ତାନ୍ତର କରିଛନ୍ତି।